କନକ ବ୍ୟୁରୋ: ନାରୀଶକ୍ତି ହିଁ ସର୍ବଶକ୍ତି । ମାତୃଶକ୍ତି ହିଁ ସକଳ ଶକ୍ତିର ଆଧାର । ନବରାତ୍ରୀରେ ନବ ଦିନାତ୍ମକ ପୂଜା ସହିତ କନ୍ୟା ପୂଜନର ବିଧି ରହିଛି । ନବରାତ୍ର ସମୟରେ ଜଗତଜନନୀ ମା’ ଦୁର୍ଗାଙ୍କୁ ୯ଟି ରୂପରେ ପୂଜା କରାଯାଏ । ନବମୀ ଦିନ କନ୍ୟା ପୂଜନ କରାଯାଏ । ନବରଙ୍ଗପୁର ଜିଲ୍ଲା ଉମରକୋଟ କାଳୀସୁନ୍ଦରୀ ଶକ୍ତି ପୀଠରେ ଧୁମଧାମରେ ହୋଇଛି ଏହି କନ୍ୟା ପୂଜନ ।
- ସୋଲବନ୍ଧ ଦୁର୍ଗାମନ୍ଦିରରେ ଭିନ୍ନ ପରମ୍ପରା
- ବୈଷ୍ଣୋଦେବୀ ପରମ୍ପରାରେ ହୋଇଥାଏ ପୂଜା
କୁଆଁରୀ କନ୍ୟାଙ୍କୁ ଦେବୀଙ୍କ ନଅଟି ସ୍ୱରୂପରେ ସୁସଜ୍ଜିତ କରି ପୂଜା କରିଥାନ୍ତି ବ୍ରତଧାରୀ । ପାଟଣାଗଡ ଉପଖଣ୍ଡର ସୋଲବନ୍ଧ ଦୁର୍ଗା ମନ୍ଦିରରେ ଭିନ୍ନ ପରମ୍ପରାରେ କୁମାରୀ ପୂଜା କରାଯାଇଛି । ଏଠାରେ ବୈଷ୍ଣୋ ଦେବୀଙ୍କ ପରମ୍ପରା ଅନୁସାରେ ନଭ କୁମାରୀଙ୍କ ସହିତ କାଳଭୈରବଙ୍କୁ ମଧ୍ୟ ପୁଜା କରାଯାଏ । ମଥାରେ କୁମକୁମ୍, ପାଦରେ ଅଳତା ଓ ମୁଣ୍ଡରେ ନାଲି ଓଢ଼ଣୀ ପକାଇ ସଜେଇ ହୋଇଛନ୍ତି କୁନିକୁନି ଝିଅ । ପରମ୍ପରା ଅନୁଯାୟୀ ରାଜଧାନୀର ପୂଜା ମଣ୍ଡପରୁ ମଧ୍ୟ କନ୍ୟା ପୂଜନ ଦେଖିବାକୁ ମିଳିଥିଲା । ଝିଅମାନଙ୍କୁ ପୂଜା କରିବା ସହ ପାଦ ଧରି ମୁଣ୍ଡିଆ ମାରିଥିଲେ ଓ ଉପହାର ବି ଦେଇଥିଲେ ମାନସିକଧାରୀ ।
ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇ ନବରାତ୍ରୀରେ କନ୍ୟା ପୂଜା କରି ଚର୍ଚ୍ଚାକୁ ଆସିଛନ୍ତି । ନବରାତ୍ରରେ ୯ଦିନ ଧରି ଉପବାସ ବ୍ରତ ରଖିବା ସହିତ ଅନ୍ତିମ ଦିନରେ ମାହାଙ୍ଗା ବ୍ଲକ ଗୋକନ ସ୍ଥିତ ବାସଭବନରେ ୯ଦେବୀ ରୂପୀ ଶକ୍ତି ଉପାସନାର ପ୍ରତୀକ ସ୍ୱରୂପ କନ୍ୟା ପୂଜା କରିଛନ୍ତି ।