କନକ ବ୍ୟୁରୋ : ଆଜିର ସମାଜରେ ନାରୀ ନିର୍ଯାତନା ଆଉ କନ୍ୟା ଭ୍ରୁଣ ହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ନାରୀ ଆଉ କନ୍ୟାମାନେ ଆଜିର ସମାଜରେ ଅସୁରକ୍ଷିତ । ଫଳରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମିକମି ଆସୁଛି । ଏହି କୁସଂସ୍କାରକୁ ସମାଜରୁ ଦୂର କରିବା ପାଇଁ ପୁରୀ ଅସ୍ତରଙ୍ଗର ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ଗାଁ ଗାଁରେ କନ୍ୟା ପୂଜନ କାର୍ଯ୍ୟକ୍ରମ କରାଯାଇଛି । 

Advertisment

କନ୍ୟା ପୂଜା… କୁନି କୁନି ଝିଅଙ୍କୁ ସୁନ୍ଦର ଭାବେ ସଜେଇ ଦିଆଯାଉଛି । କନିଆ ବେଶରେ ସଜେଇ ପୂଜାର୍ଚ୍ଚନା କରାଯାଉଛି । ଏଭଳି କନ୍ୟା ପୂଜନ ଆୟୋଜନ କରିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ସଂସ୍କୃତି ସୁରକ୍ଷା ସମିତି । ଅସ୍ତରଙ୍ଗ ବ୍ଲକ ତାଳଦା ପଂଚାୟତର ଦିହକରଡା ଓ ତାଳଦା ଗାଁରୁ ଆରମ୍ଭ ହୋଇଛି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କନ୍ୟା ସନ୍ତାନଙ୍କୁ ଏକାଠି କରି ସେମାନଙ୍କ ପାଦରେ ଅଳତା, ମଥାରେ କୁକୁମ ଲଗାଇ ମଣ୍ଡରେ ଓଢଣି ଦେଇ ସୁନ୍ଦର ଭାବେ ସଜେଇ ଦେଇଛନ୍ତି ସମିତି ସଦସ୍ୟାମାନେ । ଶେଷରେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ପୂଜା କରିଛନ୍ତି । 

ଗାଁ ଗାଁରେ କନ୍ୟା ପୂଜନ କାର୍ଯ୍ୟକ୍ରମର ଆୟୋଜନ କରି ସମାଜରେ ଏକ ବାର୍ତା ସୃଷ୍ଟି କରୁଛନ୍ତି ସଂସ୍କୃତି ସୁରକ୍ଷା ସମିତି ସଭାପତି । ଆଜିର ସମାଜରେ ନାରୀଙ୍କ ପ୍ରତି ହେଉଥିବା ଅବହେଳା, ନିର୍ଯାତନା ଖବର ପ୍ରତିଦିନ ଗଣମାଧ୍ୟମର ଶିରୋନାମା ପାଲଟିଛି । ସେମାନଙ୍କ ସୁରକ୍ଷା ପାଇଁ ସମସ୍ତେ ଆଗକୁ ଆସିବା ଆବଶ୍ୟକ ବୋଲି କହିଛନ୍ତି ସଂସ୍କୃତି ସୁରକ୍ଷା ସମିତି କାଳନ୍ଦୀ ଚରଣ ଛାଟୋଇ । କନ୍ୟା ପୂଜନ ଭଳି କାର୍ଯ୍ୟକ୍ରମ ପ୍ରେରଣା ଦାୟୀ ବୋଲି କହିବା ସହ ସଂଗଠନକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା।