କନକ ବ୍ୟୁରୋ : ଏ କଳିଯୁଗରେ ଦିନକୁ ଦିନ ପରିବାର ଓ ସମ୍ପର୍କର ମୂଲ୍ୟବୋଧ କମିବାରେ ଲାଗିଛି । କେଉଁଠି ଭାଇ ଭାଇକୁ ହତ୍ୟା କରୁଛି ତ ପୁଣି କିଏ ନିଜ ବାପା ମାଆଙ୍କଠୁ ଦୂରେଇ ଅଲଗା ରହୁଛି । ଛୋଟ ଛୋଟ କଥାରେ ସୃଷ୍ଟି ହେଉଛି ପାରିବାରିକ କଳହ । କିନ୍ତୁ ଏବେବି ଏମିତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯିଏ କି ପରିବାର ପାଇଁ ସବୁକିଛି କରିପାରନ୍ତି । ସେହିପରି ଜଣେ ମାଆର ଏ ଦୁଇ ପୁଅ । ନିଜ ମାଆଙ୍କ ପ୍ରତି ଥିବା ଭକ୍ତି ଓ ସମର୍ପଣର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଏହି ଦୁଇ ଭାଇ । ସେମାନେ ନିଜ ବୃଦ୍ଧା ମାଆଙ୍କୁ ନିଜ କାନ୍ଧରେ ଭାର କରି ସେଥିରେ ବସାଇ ପବିତ୍ର ଗଙ୍ଗାଜଳ ଆଣିବା ପାଇଁ ହରିଦ୍ୱାରରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରୁଛନ୍ତି । ଏହି ଦୁଇ ଭାଇ ଆଧୁନିକ ଯୁଗର 'ଶ୍ରବଣ କୁମାର' ଭାବେ ଚର୍ଚ୍ଚିତ ହେଉଛନ୍ତି ।

Advertisment

ଏହି ଦୁଇ ଭାଇ ହେଉଛନ୍ତି ଦିଲ୍ଲୀର ନଜଫଗଡ଼ ଅଞ୍ଚଳର ବାସିନ୍ଦା । ସେମାନେ ନିଜର ୮୫ ବର୍ଷୀୟା ମାଆଙ୍କୁ କାଉଡ଼ିରେ ବସାଇ ଏହି କଠିନ ଯାତ୍ରା ଆରମ୍ଭ କରିଛନ୍ତି।  ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୨୫ ବର୍ଷ ପୂର୍ବେ ସେମାନଙ୍କ ବାପା ମଧ୍ୟ ନିଜ ମାଆଙ୍କୁ ଠିକ୍ ଏହିପରି କାଉଡ଼ିରେ ବସାଇ ହରିଦ୍ୱାରରୁ ଗଙ୍ଗାଜଳ ଆଣିଥିଲେ । ଏବେ ପୁଅମାନେ ସେହି ପରମ୍ପରାକୁ ଆଗେଇ ନେଇଛନ୍ତି ।

ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ତାଙ୍କ ମାଆଙ୍କର ହରିଦ୍ୱାରରୁ ଗଙ୍ଗାଜଳ ଆଣିବାର ଇଚ୍ଛା ଥିଲା । କିନ୍ତୁ ବାର୍ଦ୍ଧକ୍ୟ ଯୋଗୁଁ ସେ ଚାଲିବାକୁ ଅସମର୍ଥ ଥିଲେ । ତେଣୁ ଦୁଇ ପୁଅ ମାଆଙ୍କ ଇଚ୍ଛା ପୂରଣ କରିବା ପାଇଁ ଏହି ନିଷ୍ପତ୍ତି ନେଇଥିଲେ । ସେମାନେ ଏକ ବାଉଁଶରେ ତିଆରି କାଉଡ଼ିର ଗୋଟିଏ ପଟେ ନିଜ ମାଆଙ୍କୁ ବସାଇଥିବା ବେଳେ ଅନ୍ୟ ପଟେ ପବିତ୍ର ଗଙ୍ଗାଜଳର ପାତ୍ର ରଖିଛନ୍ତି ।

ପ୍ରତିଦିନ ସକାଳୁ ସେମାନେ ନିଜର ଯାତ୍ରା ଆରମ୍ଭ କରନ୍ତି ଏବଂ ପ୍ରାୟ ୧୫ କିଲୋମିଟର ରାସ୍ତା ଚାଲିଥାନ୍ତି । ରାସ୍ତାରେ ଯେଉଁଠି ବି ସନ୍ଧ୍ୟା ହୁଏ, ସେଠାରେ ଥିବା ଶିବିରରେ ବିଶ୍ରାମ ନିଅନ୍ତି । ଏହି ଯାତ୍ରା ସମୟରେ ରାସ୍ତାରେ ଯାଉଥିବା ଲୋକମାନେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ସେମାନଙ୍କ ମାତୃଭକ୍ତିକୁ ପ୍ରଶଂସା କରୁଛନ୍ତି । ଅନେକ ଲୋକ ସେମାନଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି । ଏହି ଘଟଣା ପୁରାଣର ଶ୍ରବଣ କୁମାରଙ୍କ କଥା ମନେ ପକାଇ ଦେଉଛି , ଯିଏ ନିଜ ଅନ୍ଧ ପିତାମାତାଙ୍କୁ କାଉଡ଼ିରେ ବସାଇ ତୀର୍ଥଯାତ୍ରା କରାଇଥିଲେ ।