କନକ ବ୍ୟୁରୋ: ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିବା ୨୦୨୨ ମସିହାର ‘କାନ୍ତାରା’ ଚଳଚ୍ଚିତ୍ରର କିଛି ଶତାବ୍ଦୀ ପୂର୍ବ ସମୟର କାହାଣୀକୁ ନେଇ ମୁକ୍ତିଲାଭ କରିଛି ‘କାନ୍ତାରା ଚାପ୍ଟର ୧’ । ପ୍ରଥମ ଚଳଚ୍ଚିତ୍ର ଭଳି ଏହା ମଧ୍ୟ ଇତିହାସ, ପୁରାଣ ଓ କାଳ୍ପନିକ ଗାଥାର ସମ୍ମିଶ୍ରଣ । ଏଥିରେ ଶକ୍ତି, ସଂଘର୍ଷ, ପ୍ରତିରୋଧ, ବିଶ୍ୱାସଘାତକତା ଭଳି ବିଷୟଗୁଡ଼ିକର ଅବତାରଣା କରାଯାଇଛି । ଏହାର ଏକ ପ୍ରଶଂସନୀୟ ଦିଗ ହେଲା ନିର୍ମାତା ତଥା ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ ଏହି ନୂଆ ଚଳଚ୍ଚିତ୍ର ଜରିଆରେ ଏକ ଅରଖ ନୂଆ କାହାଣୀ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ବିଶେଷ କରି ଏହାର ଆକ୍ସନ ଦୃଶ୍ୟଗୁଡ଼ିକ ଦର୍ଶକମାନଙ୍କୁ ଖୁବ୍ ଆମୋଦିତ କରୁଛି । 

Advertisment

କାନ୍ତାରା ନାମକ ରହସ୍ୟମୟ ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥାନ କରୁଥିବା ଆଦିବାସୀ ସଂପ୍ରଦାୟ ଏହି କାହାଣୀର କେନ୍ଦ୍ରରେ ଅଛି । ଏହି ସଂପ୍ରଦାୟ ପ୍ରକୃତି ସହିତ ଓତପ୍ରୋତ ଭାବେ ଜଡ଼ିତ । ନାୟକ ବର୍ମେ (ଋଷଭ ଶେଟ୍ଟୀ) କାନ୍ତାରା ଜଙ୍ଗଲରେ ବଡ଼ ହେବାପରେ ପ୍ରଥମ ଥର ପାଇଁ ଜଙ୍ଗଲରୁ ବାହାରି ବାଗ୍ରା ବନ୍ଦରକୁ ଯାଉଛି । ତେବେ ସେଠାରେ ଭିନ୍ନ ଭିନ୍ନ ଗୋଷ୍ଠୀଙ୍କ ପକ୍ଷରୁ ତାକୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ଜଙ୍ଗଲ ସହିତ ଘନିଷ୍ଠ ସମ୍ପର୍କ ଯୋଗୁଁ ଚମତ୍କାର ଢଙ୍ଗରେ ଏକ ବାଘ ତାକୁ ବିପଦରୁ ରକ୍ଷା କରୁଛି । ଏହା ଜରିଆରେ ପ୍ରକୃତି ପ୍ରଦାନ କରୁଥିବା ସୁରକ୍ଷା ସମ୍ପର୍କରେ ଦର୍ଶକଙ୍କୁ ବାର୍ତ୍ତା ମିଳିଥାଏ । ସିନେମାର ଦ୍ୱିତୀୟାର୍ଦ୍ଧରେ ବର୍ମେ ପୁଣି ଥରେ ବାଗ୍ରା ଫେରୁଛି ଯେଉଁଠାରେ ଘମାଘୋଟ ଲଢ଼େଇର ସୂତ୍ରପାତ ହେଉଛି । କ୍ରମେ ବାଗ୍ରାର ରାଜା କାନ୍ତାରାର ଅଧିବାସୀଙ୍କୁ ଗଣହତ୍ୟା କରି ଜଙ୍ଗଲ ଜମିକୁ ହଡ଼ପ କରିନେବା ଉଦ୍ଦେଶ୍ୟରେ ଆକ୍ରମଣ ଆରମ୍ଭ କରିଦେଉଛି କିନ୍ତୁ ବର୍ମେ ତା’ ସଂପ୍ରଦାୟ ଓ ଜଙ୍ଗଲର ସୁରକ୍ଷା ପାଇଁ ଆପ୍ରାଣ ଲଢ଼େଇ କରୁଛି ।

ଋଷଭଙ୍କ ସମେତ ଜୟରାମ, ରୁକ୍ମିଣୀ ବସନ୍ତ, ରାକେଶ ପୂଜାରି, ଗୁଲସନ ଦେବୟା ପ୍ରମୁଖ ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ପ୍ରଭାବଶାଳୀ ଅଭିନୟ ପ୍ରଦର୍ଶନ କରିଛନ୍ତି । କାନ୍ତାରା (୨୦୨୨) ପାଇଁ ଋଷଭ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏହି ଚଳଚ୍ଚିତ୍ରର ଦୁଇଟି ଗୀତ ଓ ପୃଷ୍ଠଭୂମି ସଂଗୀତର ନିର୍ଦେଶନା ଦେଇଛନ୍ତି ବି. ଅଜନୀଶ ଲୋକନାଥ, ଯିଏ କାନ୍ତାରା ସିନେମାର ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ମୂଳତଃ କନ୍ନଡ଼ ଭାଷାରେ ନିର୍ମିତ ହୋଇଥିଲେ ହେଁ, ଏକାସମୟରେ ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲୟାଲମ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି । ପ୍ରଥମ ଦିନରେ ଏହା ଭାରତରେ ୬୦ କୋଟି ଟଙ୍କା ଆୟ କରି ଏ ବର୍ଷର ଅନ୍ୟତମ ସଫଳ ଚଳଚ୍ଚିତ୍ରର ମର୍ଯ୍ୟାଦା ହାସଲ କରିସାରିଲାଣି ।