କନକ ବ୍ୟୁରୋ: ବିନା ତାଲିମରେ ମହିଳାମାନେ କିପରି ନିଜେ ସ୍ବାବଲମ୍ବୀ ହୋଇଛନ୍ତି ତାହା କରି ଦେଖାଇଛନ୍ତି ଭୋଗରାଇ ବ୍ଲକ ବାରବାଟିଆ ପଞ୍ଚାୟତ କଣ୍ଟାବଣିଆ ଗାଁର ମହିଳାମାନେ । ଏହି ଗାଁର ମହିଳା ମାନେ ଏବେ ନଡ଼ିଆ କତାକୁ ବ୍ୟବହାର କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଜାଣନ୍ତୁ ବାଲେଶ୍ୱର ଜିଲ୍ଲା ଭୋଗରାଇ କଣ୍ଟାବଣିଆ ଗାଁର ମହିଳାଙ୍କ ସ୍ବାବଲମ୍ବୀ ହେବାର କାହାଣୀ ।
କଥାରେ ଅଛି ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରେ । ଯାହାର ଉଦାହରଣ ହେଉଛନ୍ତି ଭୋଗରାଇ ବ୍ଲକ କଣ୍ଟାବଣିଆ ଗାଁର ମହିଳା । ଗ୍ରାମାଞ୍ଚଳର ଏହି ମହିଳାମାନେ ଘର କାମ ସାରିବା ପରେ ବଳକା ସମୟରେ ନଡ଼ିଆ କତାରେ ବିଭିନ୍ନ ଗୃହ ଉପକରଣ ସାମଗ୍ରୀ ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଏମାନେ ବିନା କୌଣସି ତାଲିମରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବାରେ ସଫଳ ହୋଇଛନ୍ତି । ପୁରୀ ଜିଲ୍ଲା ସାକ୍ଷୀଗୋପାଳରୁ ନଡ଼ିଆ କତା କିଣି ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ପ୍ରଥମେ କତାକୁ ଭଲ ଭାବେ ଶୁଖାଇ ତାକୁ ରଶିରେ ପରିଣତ କରନ୍ତି । ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ଦେଇ ପୁଣି ଶୁଖାଇଥାଆନ୍ତି । କତା ଶୁଖିଲା ପରେ ସେହି ରଶିକୁ ନେଇ ବିଭିନ୍ନ ପ୍ରକାର ଗୃହ ଉପକରଣ ସହ ଖେଳଣା କଣ୍ଢେଇ ପ୍ରସ୍ତୁତ କରୁଛନ୍ତି । ରଶି, କରିଡରମେଟ୍, ମେସମେଟ୍, ଫାଇବରମେଟ୍ ଆଦି ତିଆରି କରୁଛନ୍ତି ମହିଳା ।
୨୦୧୭ ରେ ୨୦ ଜଣ ମହିଳା ମିଶି ଝାନ୍ସିରାଣୀ ଉତ୍ପାଦକ ଗୋଷ୍ଠୀ ଗଠନ କଲେ । କିଛି ସଞ୍ଚୟ ଅର୍ଥ ଓ ଜିପିଏଲ୍ଏଫ୍ରୁ ଋଣ କରି ମୋଟ ୮୦ ହଜାର ଟଙ୍କା ବିନିଯୋଗ କରି ଏହି କାମ ଆରମ୍ଭ କଲେ । ଏବେ ୯ ବର୍ଷ ଭିତରେ ଏହି ଗ୍ରୁପ୍ର ରୋଜଗାର ୬ ଲକ୍ଷ ଟଙ୍କାରେ ପହଞ୍ଚିଲାଣି । କିଛି ରୋଜଗାର କରିବାରୁ ମହିଳା ମାନେ ପୁରୁଷଙ୍କ ଉପରେ ନିର୍ଭର ନକରି ନିଜର ଖର୍ଚ୍ଚ ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିପାରିଛନ୍ତି । ମହିଳାଙ୍କ ଏହି ସାମଗ୍ରୀ ସମ୍ପର୍କରେ ପ୍ରଚାରପ୍ରସାର ହେବା ପରେ ଏହାର ଚାହିଦା ବଢ଼ିଛି । ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ବାରା ନିକଟସ୍ଥ ପଶ୍ଚିମବଙ୍ଗ ବଜାରରେ ବିକ୍ରି କରିବା ସହ ପାଖ ଆଖରେ ଅନୁଷ୍ଠିତ ହେଉଥିବା ଛୋଟ ଛୋଟ ମେଳାକୁ ଯାଇ ସାମଗ୍ରୀ ବିକ୍ରି କରୁଛନ୍ତି । ମହିଳା ମାନଙ୍କ ଦ୍ବାରା ନିର୍ମିତ ଏହି ସାମଗ୍ରୀ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଗ୍ରାହକଙ୍କ ମନକୁ ଜିଣୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/05/coir-papoch-2025-10-05-21-02-54.png)