କନକ ବ୍ୟୁରୋ: କାନପୁରର ସୀସାମଉ ସିଟ୍, ଯାହା ଉପରେ ଥିଲା ସମସ୍ତଙ୍କ ନଜର । ଆଜି ସେ ଆସନରୁ ନିର୍ବାଚନ ଗଡ ଜିତିଛନ୍ତି ଏଭଳି ଜଣେ ମହିଳା ଯାହାଙ୍କ କାହାଣୀ ସମସ୍ତଙ୍କୁ ଭାବବିହ୍ୱଳ କରିଛି । ସମାଜବାଦୀ ପାର୍ଟି ପ୍ରାର୍ଥୀ ନସୀମ ସୋଲାଙ୍କୀ ବହୁମତ ହାସଲ କରି ନିର୍ବାଚନ ଜିତିଛନ୍ତି ।
ଏହି ଆସନ ସମାଜବାଦୀ ପାର୍ଟିର ଗଡ । ଏଠାରୁ ନସୀମ ସୋଲାଙ୍କୀଙ୍କ ସ୍ୱାମୀ ଇରଫାନ୍ ସୋଲାଙ୍କୀ ଥିଲେ ବିଧାୟକ । ହେଲେ ଇରଫାନଙ୍କୁ ଦଣ୍ଡାଦେଶ ହେବା ପରେ ତାଙ୍କର ବିଧାନସଭା ସଦସ୍ୟ ପଦ ରଦ୍ଦ ହୋଇଗଲା । ଏହାପରେ ସିସାମଉ ସିଟ ପାଇଁ ଉପନିର୍ବାଚନ ହେଲା । ଏଥିପାଇଁ ଅଖିଲେଶ ଯାଦବ ଇରଫାନଙ୍କ ପତ୍ନୀ ନସୀମ ସୋଲାଙ୍କୀଙ୍କୁ ଟିକେଟ ଦେଲେ । ହେଲେ ତାଙ୍କର ପ୍ରତିଦ୍ୱନ୍ଦ୍ୱି ଭାବେ ଛିଡାହେଲେ ବିଜେପିର ସୁରେଶ ଅବସ୍ତି । ଦୁହିଁଙ୍କ ମଧ୍ୟରେ ହେଲା କଡା ଟକ୍କର । ଶେଷରେ ଜିତିଲେ ନସୀମ ।
ସ୍ୱୀମୀଙ୍କୁ ପ୍ରସଙ୍ଗ କରି ଭୋଟରଙ୍କ ମନ ଜିତିଲେ ନସୀମ;
ନସୀମଙ୍କ ନିର୍ବାଚନ ପ୍ରଚାର ପାଇଁ ଦାୟିତ୍ୱ ନେଲେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଓ ସପା ମହାସଚିବ ଶିବପାଲ ଯାଦବ । ନିର୍ବାଚନ ପ୍ରଚାରରେ ସ୍ୱାମୀଙ୍କ ପ୍ରସଙ୍ଗକୁ ନେଇ ଭୋଟରଙ୍କ ପାଖକୁ ଗଲେ । ତାଙ୍କ ସ୍ୱାମୀଙ୍କ ପ୍ରତି ଅନ୍ୟାୟ ହୋଇଛି । ତାଙ୍କୁ ଜୋରଜବଦସ୍ତି ଜେଲରେ ରଖାଯାଇଛି ବୋଲି କହିଲେ । ଇରଫାନଙ୍କ ବିରୋଧରେ ସବୁଠୁ ବଡ ଷଡଯନ୍ତ୍ର ହୋଇଛି । ତାଙ୍କୁ ନିଜ ଲୋକଙ୍କ ପାଇଁ କାମ କରିବାରୁ ଦୂରେଇଦିଆଯାଇଛି ବୋଲି କହିଲେ ନସୀମ । ଏଥିରେ ନସୀମଙ୍କୁ ଜୋରଦାର ସମର୍ଥନ କରିଥିଲେ ସଂଖ୍ୟାଲଘୁ ଭୋଟର ।
ପ୍ରଚାର ସମୟରେ ନସୀମ ବନଖଣ୍ଡେଶ୍ୱର ମନ୍ଦିରକୁ ଯାଇ ଶିବ ଲିଙ୍ଗକୁ ଜଳାଭିଷେକ କରିଥିଲେ । ଏଥିରେ ତାଙ୍କୁ ଘୋର ବିରୋଧ କରିଥିଲେ କଠୋରପନ୍ଥୀ ସଂଖ୍ୟାଲଘୁ ଗୋଷ୍ଠୀ । ହେଲେ ନରମପନ୍ଥୀ ମୁସଲମାନ ଗୋଷ୍ଠୀ ତାଙ୍କୁ ବିପୁଳ ସମର୍ଥନ କରିଥିଲେ । ଶେଷରେ ଲୋକଙ୍କ ସମର୍ଥନ ନସୀମଙ୍କୁ ବିଜୟୀ କରାଇଦେଲା ।