କନକ ବ୍ୟୁରୋ : ଲଗାଣ ବର୍ଷା ଫଳରେ ଘର ନିକଟରେ ବର୍ଷାଜଳ ଜମି ରହିବାରୁ ଭଞ୍ଜନଗର କୁଡୁତାଇ ରୋଡ୍ ସାହିର ପ୍ରାୟ ୧୦ ପରିବାର ଜଳ କଷ୍ଟ ଭୋଗୁଛନ୍ତି । ଘର ପଛ ପଟେ ୧୦ ଦିନ ହେଲା ବର୍ଷାଜଳ ଜମିରହିବା ସହ ଘରେ ପଶିଯାଇଛି ବନ୍ୟାପାଣି । ଚୂଲି ଲଗାଇବା ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡ଼ିଛି । ଘର କାନ୍ଥ ନିକଟରେ ବନ୍ୟାଜଳ ଜମି ରହିଥିବାରୁ ଘର ଭୁଶୁଡ଼ି ପଡ଼ିବା ଭୟ ମଧ୍ୟ ରହିଛି । ଜଳ ନିଷ୍କାସନ ବ୍ୟବସ୍ଥା ସଠିକ ଭାବେ ହୋଇନଥିବା ଓ ଗାଁର ଜଣେ ବ୍ୟକ୍ତି ଘର କରିବା ପାଇଁ ଥିବା ଡ୍ରେନେଜ୍ ଉପରେ ମାଟି ପକାଇ ବନ୍ଦ କରିଦେଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଇଛି । ପ୍ରଶାସନ ଏଥିପ୍ରତି ନଜର ଦେଇ ଜଳ ତୁରନ୍ତ ନିଷ୍କାସନ କରିବା ଵ୍ୟଵସ୍ଥା କରିବାକୁ ଦାବି ହୋଇଛି ।
ଠିକ୍ ସେପରି ଲଗାଣ ବର୍ଷାରେ ବେହାଲ୍ ଜୟପୁର । ଗତକାଲି ଜୟପୁରରେ ୧୮୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଜୟପୁର ସହରରେ କୁତ୍ରିମ ବନ୍ୟା ସ୍ଥିତି ଉପୁଜିଛି । ଫଳରେ କିଏ ରାତି ଉଜାଗର ରହିଛି ତ ଆଉ କାହାର ଘର ଭାଙ୍ଗିଯାଇଛି । ଅନ୍ୟଘରେ ଆଶ୍ରୟ ନେବାକୁ ପଡୁଛି । ସହରର ହାଟପଦାରେ ରହୁଥିବା ଅନେକ ପରିବାର ଏବେ ଜଳବନ୍ଦୀ । ବୈପାରିଗୁଡ଼ା ବ୍ଲକ୍ରେ ୩୦୬ ମିଲିମିଟର ସର୍ବାଧିକ ବର୍ଷା ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଥିଲା ଜୟପୁର ।
ଅନ୍ୟପଟେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ ସରକାର ବେଶ ତତ୍ପର ହୋଇ ଉଠିଛନ୍ତି । ଗମନାଗମନଠାରୁ ଆରମ୍ଭ କରି ସମସ୍ତ ସରକାରୀ ଯୋଜନା କିଭଳି କୋଟିଆ ପଞ୍ଚାୟତର ସମସ୍ତ ଗାଁରେ ପହଞ୍ଚିବ ତାହାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ କୋଟିଆ ପଞ୍ଚାୟତର ସୁଲିଆମାରି ନିକଟରେ ଏକ ବିଜୁ ସେତୁ କାମ ୪ ବର୍ଷ ପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନଥିବାରୁ ବର୍ଷାଦିନେ ୬ ଖଣ୍ଡ ଗ୍ରାମବାସୀ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଦୁର୍ଦ୍ଦଶା ଜୀବନ ବିତାଇଥା’ନ୍ତି । ପୋଲ କାମ ସଂପୂର୍ଣ୍ଣ ହେଉନଥିବାରୁ ସୁଳିଆମାରି, ଉପର ଚିନ୍ଦ୍ରି, ତଳ ଚିନ୍ଦ୍ରି, ଚିନ୍ତଲ ମଞ୍ଜରୀ, କିଚା ମଞ୍ଜରୀ, ଖଜୁରୀ ପଦର ଓ ନାରିଙ୍ଗିପଦର ଗ୍ରାମବାସୀ ଯାତାୟତ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ କାମରେ ବ୍ଲକ କାର୍ୟ୍ୟାଳୟକୁ ଯିବା ପାଇଁ ହେଲେ ସେମିଳିଗୁଡ଼ା ଦେଇ ପ୍ରାୟ ୭୦ କି.ମି ବୁଲି ବୁଲି ଯାଇଥା’ନ୍ତି । ଅଧିକାଂଶ ଲୋକ ପନିପରିବା ଓ ନିତିଦିନିଆ ସାମଗ୍ରୀ ପାଇଁ କୁନ୍ଦୁଲି ହାଟ ଉପରେ ନିର୍ଭର କରିଥା’ନ୍ତି। କିନ୍ତୁ ବର୍ଷାଦିନେ ପାହାଡ଼ି ଜଳ ପ୍ରବଳ ପ୍ରଖରରେ ପ୍ରବାହିତ ହେଉଥିବାରୁ ଯାତାୟତ ସମ୍ଭବ ହୋଇପାରୁନି । ତେଣୁ ବର୍ଷାଦିନେ ୬ ଖଣ୍ଡ ଗ୍ରାମବାସୀ ହଇରାଣ ହୋଇଥା’ନ୍ତି । ତଥାପି ପୋଲ କାମ ସାରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଉକ୍ତ ପୋଲ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡ଼ିଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଏକ ଟିପ୍ପର ଭାସି ଯାଉଥିଲା । ସୌଭାଗ୍ୟବଶତଃ ଟିପ୍ପର ବର୍ତ୍ତି ଯାଇଥିଲା । ପୋଲ କାମ ସରୁନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।