କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି ବିହାର ରାଜନୀତି ସେତିକି ସରଗରମ ହେଉଛି । ନିର୍ବାଚନ ମାହୋଲ ଚାଲିଥିବା ବେଳେ ଆରମ୍ଭ ହୋଇଯାଇଛି ପୋଷ୍ଟର ରାଜନୀତି । ପାଟଣାରେ କହ୍ନେୟା କୁମାରଙ୍କ ଏକ ପୋଷ୍ଟ ଲାଗିଛି । ଯେଉଁଥିରେ କହ୍ନେୟା କୁମାର ବିହାରର ଆଶା ଭରସା ବୋଲି ଲେଖାଯାଇଛି । ଏହି ପୋଷ୍ଟରକୁ NSUI ନେତା ଚୁନ୍ନୁ ସିଂ ଲଗାଇଥିବା ବେଳେ ଏହି ପୋଷ୍ଟରରେ, ରାହୁଲ ଗାନ୍ଧୀ, କହ୍ନେୟା କୁମାର, ପ୍ରଭାରୀ କୃଷ୍ଣ ଆଲ୍ଲାବରୁ ଏବଂ ବିହାର ନେତାଙ୍କ ଫଟୋ ରହିଛି । ଏଥିରୁ ଅନୁମାନ କରାଯାଉଛି ବିହାରରେ କହ୍ନେୟା କୁମାର ସକ୍ରିୟ ହୋଇପାରନ୍ତି । 

Advertisment

କହ୍ନେୟା କୁମାରଙ୍କୁ ମିଳିପାରେ ବଡ ଦାୟିତ୍ୱ 
କହ୍ନେୟା କୁମାରଙ୍କୁ ବିଧାନସଭାରେ ବଡ ଦାୟିତ୍ୱ ମିଳିପାରେ । ଚଳିତ ମାସ ୧୬ ତାରିଖରୁ ବିହାରରେ ଯାତ୍ରା ଅରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି କହ୍ନେୟା କୁମାର । ଚୂଡାନ୍ତ ଅନୁମୋଦନ ପାଇଁ ମାର୍ଚ୍ଚ ୧୨ତାରିଖରେ ରାହୁଲ ଗାନ୍ଧୀଙ୍କୁ ଭେଟିପାରନ୍ତି କହ୍ନେୟା । ମାର୍ଚ୍ଚ ୧୨ ତାରିଖରେ ହିଁ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । ଏନେଇ ବିହାର କଂଗ୍ରେସର ତୁଙ୍ଗ ନେତା, ରାହୁଲ ଗାନ୍ଧୀ ଓ ଖଡଗେଙ୍କ ମଧ୍ୟରେ ବୈଠକ ରହିଛି । 

କହ୍ନେୟାଙ୍କ ପାଇଁ ମହାମେଣ୍ଟରେ ସୃଷ୍ଟି ହେବ କି ଫାଟ?  
ବିହାରରେ କହ୍ନେୟା ସକ୍ରିୟ ହେଲେ ମହାମେଣ୍ଟରେ ଫାଟ ସୃଷ୍ଟି ହୋଇପାରେ । କାରଣ କହ୍ନେୟାଙ୍କୁ ପସନ୍ଦ କରେନି ଆରଜେଡି । ତେଣୁ ପ୍ରଶ୍ନ ଉଠୁଛି, ବିହାରରେ କହ୍ନେୟାଙ୍କୁ ଏଣ୍ଟ୍ରି କରି ନିର୍ବାଚନ ପୂର୍ବରୁ କଂଗ୍ରେସ ଆରଜେଡିର ଅସନ୍ତୋଷର ଶିକାର ହେବ କି ? 

ବିହାର ଉପରେ କଂଗ୍ରେସର ସ୍ୱତନ୍ତ୍ର ନଜର ରହିଛି । ଏହି ବର୍ଷ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ମଧ୍ୟ ଦୁଇଥର ବିହାର ଆସି ସାରିଛନ୍ତି । ଯୁବ ନେତା କୃଷ୍ଣ ଆଲ୍ଲାବରୁଙ୍କୁ ବିହାର କଂଗ୍ରେସର ପ୍ରଭାରୀ ମଧ୍ୟ କରାଯାଇଛି । ପ୍ରତିଦିନ କିଛି କଂଗ୍ରେସ ବିଧାୟକ ବୟାନ ଦେଉଛନ୍ତି ଯେ, ନିର୍ବାଚନ ସାମୂହିକ ନେତୃତ୍ୱରେ ଲଢ଼ାଯିବ । ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଚେହେରା ନୁହଁନ୍ତି । ନିର୍ବାଚନ ପରେ, ମୁଖ୍ୟମନ୍ତ୍ରୀ ସେହି ଦଳରୁ ହେବେ ଯାହାର ବିଧାୟକଙ୍କ ସଂଖ୍ୟା ଅଧିକ ହେବ । ଏହି ସମୟରେ, କହ୍ନେୟାଙ୍କୁ ବିହାରର ଆଶା ଭରସା ବୋଲି କହି ତାଙ୍କର ପୋଷ୍ଟର ଲଗାଯାଇଛି, ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କହ୍ନେୟାଙ୍କ ପୋଷ୍ଟର ଉପରେ ବିହାର କଂଗ୍ରେସ ମିଡିଆ ବିଭାଗର ଅଧ୍ୟକ୍ଷ ରାଜେଶ ରାଠୋର କହିଛନ୍ତି, କହ୍ନେୟା ବିହାରର । ସେ ପୂର୍ବରୁ ମଧ୍ୟ ବିହାର ଆସିଛନ୍ତି । ଆଗକୁ ମଧ୍ୟ ଆସିବେ । ଯଦି ସେ ଦାୟିତ୍ୱ ନିଅନ୍ତି ଓ ବିହାର ପାଇଁ କାମ କରନ୍ତି, ତେବେ ତାଙ୍କୁ ସ୍ୱାଗତ କରାଯିବ । ପ୍ରତ୍ୟେକ ଦଳ ଚାହାଁନ୍ତି ଯେ ତାଙ୍କର ସଂଗଠନ ମଜବୁତ ହେଉ ।  ଆମେ କେବଳ ମହାମେଣ୍ଟରେ ନିର୍ବାଚନ ଲଢ଼ିବୁ । ଏବେ ଆମେ ସେ ବିଷୟରେ ମତାମତ ଦେବାକୁ ଚାହୁଁନାହୁଁ ଯେ ଆରଜେଡି କହ୍ନେୟାଙ୍କୁ ପସନ୍ଦ କରେ କି ନାହିଁ । ଯଦି କଂଗ୍ରେସ ଶକ୍ତିଶାଳୀ ହୁଏ, ତେବେ ନିର୍ବାଚନରେ ତାର ସହଯୋଗୀ ଦଳକୁ ବି ଫାଇଦା ମିଳିବ । 

ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀଙ୍କ ପ୍ରତିକ୍ରିୟା 
ଏହା ଉପରେ ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, କିଏ କେଉଁ ପୋଷ୍ଟର ଲଗାଉଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ବିହାରର ଆଶା ଓ ଭରସା ହେଉଛନ୍ତି କେବଳ ତେଜସ୍ୱୀ ଯାଦବ । ବିହାରର ଲୋକମାନେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଜସ୍ୱୀ ଯାଦବଙ୍କ ଉପରେ ଲୋକଙ୍କ ଆଶୀର୍ବାଦ ରହିଛି । ଯେକୌଣସି ବ୍ୟକ୍ତି କାହାର ପୋଷ୍ଟର ଲଗାଇ ଆଶା ପ୍ରକାଶ କରିପାରିବେ । ଏଥିରେ କ୍ଷତି କ’ଣ?  ଏଠାରେ ଗଣତନ୍ତ୍ର ଅଛି । ତେଜସ୍ୱୀ ଲୋକଙ୍କ ପାଇଁ କାମ କରି ଦେଖାଇଛନ୍ତି । ତେଣୁ ଲୋକଙ୍କ ଆଶା ତେଜସ୍ୱୀଙ୍କ ଉପରେ ରହିଛି । ନିର୍ବାଚନରେ ଏହା ପ୍ରତିଫଳିତ ହେବ ।