କନକ ବ୍ୟୁରୋ: ବାହାଘର ବେଳେ ଟଙ୍କା ଚୋରିକୁ ନେଇ ପାଟଣାଗଡ଼ରେ କଙ୍ଗାରୁକୋର୍ଟ । ଚୋର ଧରିବାକୁ ଗୁଣିଆ ଡାକି ସଢୁଙ୍କ ପରିବାରକୁ ଦୋଷୀ ସାବ୍ୟସ୍ତ କରିବା ସହ ନିର୍ଯାତନା ଅଭିଯୋଗ । ପାଟଣାଗଡ଼ ଦଶମତି ମନ୍ଦିରରେ ସଢୁ ଭାଇଙ୍କୁ ଫୁଲ ଚଢ଼ାଇବାକୁ କହିଲେ । ପୂଜାପାଠ କରି ମାଆଙ୍କ ଚାଉଳ ଖାଇବାକୁ ବାଧ୍ୟ କଲେ । ପାଟଣାଗଡ଼ ଥାନା ଖଲିଆ ଗାଁର କଙ୍ଗାରୁ କୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଅଭିଯୋଗ ଅନୁସାରେ ଖଲିଆ ଗାଁର ସୁଭାଗୀନି ସୁନାଙ୍କ ରମେଶ ସୁନାଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ଉତ୍ସବକୁ ଆସିଥିଲେ ସୁଭାଗୀନିଙ୍କ ଭଉଣୀ ଓ ତାଙ୍କ ପରିବାର । ବିବାହ ସମୟରେ ସୁଭାଗୀନିଙ୍କ ଘରୁ ଚୋରି ହୋଇଗଲା ୫ଲକ୍ଷ ଟଙ୍କା । ଏହା ଜାଣିବା ପରେ ଗୁଣିଆକୁ ଘରକୁ ଡକାଗଲା । ପୂଜାପାଠ କରି ଗୁଣିଆ ସୁଭାଗିନିଙ୍କ ଭଉଣୀର ବର ଚୋରି କରିଥିବା କହିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା । ଏହା ପରେ ଘରକୁ ଆସି ଥିବା ସାତ ଭଉଣୀ ଓ ସଢୁମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଏ । ଗୁଣିଆର କହିବା ମୁତାବକ ପାଟଣାଗଡ ମାଁ ଦସମତି ମନ୍ଦିରକୁ ଆସି ଫୁଲ ପକାଇବାକୁ ବାଧ୍ୟ କରାଯାଇଥିଲା। ପରେ ମା’ଙ୍କ ପୂଜା ଚାଉଳ ଆଣି ସମସ୍ତଙ୍କୁ ଖାଇବାକୁ ବାଧ୍ୟ କରାଯାଇଥିଲା। ମନ୍ଦିରରେ ରାଣ ପକାଇବା ଓ ଚାଉଳ ଖାଇବା ନେଇ ସଢୁଙ୍କ ପରିବାର ପାଟଣାଗଡ ଥାନାର ଦ୍ବାରସ୍ଥ ହୋଇଛନ୍ତି । ମିଛଟାରେ ଚୋରି ଅଭିଯୋଗରେ ସଢୁଭାଇଙ୍କ ପରିବାର ଲୋକଲଜ୍ଜା ପାଇଥିବାରୁ ନ୍ୟାୟ ପାଇଁ ଦାବି କରିଛନ୍ତି ।