କନକ ବ୍ୟୁରୋ : କ୍ଷମା ମାଗିଲେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ବୟାନକୁ ବିବାଦରେ ଫସିବା କଙ୍ଗନା କ୍ଷମା ମାଗିଛନ୍ତି । ତିନି କୃଷି ଆଇନକୁ ଫେରାଇ ଆଣିବାକୁ ସେ ବୟାନ ଦେଇଥିଲେ । ଯାହାକୁ ନେଇ ବିବାଦ ତେଜିବା ପରେ ସାଂସଦ ମୁଣ୍ଡ ନୁଆଁଇଛନ୍ତି । ବିଜେପି ସାଂସଦଙ୍କ ଏହି ବୟାନକୁ ନେଇ ଏବେ ଜୋରଧରିଛି ରାଜନୀତି । ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାଣାଓ୍ବତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ବିଜେପି ନିଜକୁ ଦୂରେଇ ରଖିଛି। ଏଲଜେପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି, 'ଏହା କଙ୍ଗନାଙ୍କ ବ୍ୟକ୍ତିଗତ ବିବୃତ୍ତି । ଏହା ଦଳର ବିବୃତ୍ତି ନୁହେଁ।  ସେହିପରି ବିଜେପି ମୁଖପାତ୍ର ଗୌରବ ଭାଟିଆ କଙ୍ଗନାଙ୍କ ମନ୍ତବ୍ୟକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛନ୍ତି । ସେପଟେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  କଙ୍ଗନାଙ୍କ ବିବୃତ୍ତି ଚାଷୀଙ୍କ ପ୍ରତି ଅପମାନ। ତାଙ୍କ ବିରୋଧରେ ବିଜେପି ଆକ୍ସନ ନେବା ଉଚିତ । ଏହା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିର ଅପମାନ। ଆମେ ମଧ୍ୟ ଏହି କୃଷି ଆଇନ ବିରୋଧରେ ଥିଲୁ, ଆମେ କଙ୍ଗନା ରାଣାୱତଙ୍କ ବୟାନକୁ ବିରୋଧ କରୁଛୁ । ବିବାଦ ବଢ଼ିବା ପରେ ହିମାଚଳ ପ୍ରଦେଶର ମାଣ୍ଡି ସାଂସଦ କଙ୍ଗନା ମଧ୍ୟ ଏକ୍ସରେ ଟ୍ୱିଟ୍‌ କରି ଏହା ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛନ୍ତି ।