କନକ ବ୍ୟୁରୋ: ଏମରଜେନ୍ସି । ଏହି ନାଁ ଶୁଣିଲେ ଆମେ ସମସ୍ତେ ଜାଣନ୍ତି କି ଇନ୍ଦିରା ଗାନ୍ଧିଙ୍କ ନେତୃତ୍ବରେ ଶାସନ ଥିବା ବେଳେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ । ଏହି ସମୟରେ ଦେଶର ଅନେକ କ୍ଷତି ହୋଇଥିଲା । ଗଣମାଧ୍ୟମର କଣ୍ଠରୋଧ ବି କରାଯାଇଥିଲା । ଆଜି ବି ସେହିଦିନକୁ କଳାଦିବସ ଭାବରେ ପାଳନ କରାଯାଉଛି । ହେଲେ ଏହାରି ଭିତରେ ଏମରଜେନ୍ସି ଫିଲ୍ମ ତିଆରି କରାଯାଇଛି । ଯେଉଁଥିରେ ବିଜେପି ସାଂସଦ ତଥା ଅଭିନେତ୍ରୀ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଖାଲି ଏତିକି ନୁହେଁ ଆସନ୍ତା ଜାନୁଆରୀ ୧୭ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଫିଲ୍ମ ଦେଖିବାକୁ ନିମନ୍ତ୍ରଣ ପଠାଇଛନ୍ତି କଙ୍ଗନା । ଯାହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ପୁଣି ଥରେ ଆରମ୍ଭ ହୋଇଯାଇଛି ଏମରଜେନ୍ସି ରାଜନୈତିକ ବାକଯୁଦ୍ଧ ।
ଇନ୍ଦିରାଙ୍କ ଅବିକଳ ଅଭିନୟ କରିଛନ୍ତି କଙ୍ଗନା
ରିଜିଲ ହୋଇସାରିଛି ଟ୍ରେଲର
କଙ୍ଗନା ରାଣାୱତ । କେତେବେଳେ ବିବାଦୀୟ ବୟାନ ଦେଇ ତ ଆଉ କେତେବେଳେ ରୋକଠୋକ କଥା କହି ଚର୍ଚ୍ଚାରେ ରୁହନ୍ତି । ଏବେ କିନ୍ତୁ ବିବାଦୀୟ ବୟାନ କି ରୋକଠୋକ କଥା ପାଇଁ ନୁହେଁ ବରଂ ନିଜର ଅଭିନୟ ଲାଗି ଭାରି ଚର୍ଚ୍ଚାରେ । ଅଭିନୟ ପାଇଁ ତ ଯାହା ଚର୍ଚ୍ଚାରେ ଥିଲେ ଥିଲେ ଏବେ ରାହୁଲ ଓ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ଦେଇ ଅଧିକ ଚର୍ଚ୍ଚାରେ ରହିଲେ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କଙ୍ଗନା କହିଛନ୍ତି, ଫିଲ୍ମରେ ମୁଁ ଅଭିନୟ କରି ବେଶ ଖୁସି ରହିଛି । ସତ୍ୟ ଉପରେ ଏହା ଆଧାରିତ ରହିଛି । ଫିଲ୍ମ ଦେଖିବା ପାଇଁ ମୁଁ ନିଜେ ରାହୁଲ ଜୀ ଓ ପ୍ରିୟଙ୍କା ଜୀଙ୍କୁ ନିମନ୍ତ୍ରଣ ଦେଇଛି ।
ସୂଚନା ଅନୁସାରେ, ଏମରଜେନ୍ସି ଫିଲ୍ମଟି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ । ଖାସ କରି ତାଙ୍କର ରାଜନୈତିକ ଜୀବନୀ ଉପରେ ଏହା ଆଧାରିତ । ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାକୁ ଅତି ନିଖୁଣ ଭାବରେ ମଣ୍ଡି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଭାଇଛନ୍ତି। କଥା ହେଲା, ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ ବିବାଦୀୟ ଅଧ୍ୟାୟର ଏକ ବିସ୍ଫୋରକ କାହାଣୀ ଏମରଜେନ୍ସି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜିକାଲିର ଯୁବପିଢିଙ୍କ ଉଦ୍ଦେଶ୍ୟରେ ଏହି ଫିଲ୍ମ ପ୍ରସ୍ତୁତ ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଫିଲ୍ମ ସୁଟିଂ ପରେ ଅନେକ ବିରୋଧର ସାମ୍ନା କରିଥିଲା । ଶେଷରେ ରିଲିଜ୍ ପାଇଁ ସେନସର୍ ବୋର୍ଡର ଅନୁମତି ପାଇଛି ।
ସେପଟେ, ଭିଡିଓ ସେୟାର କରି ଅନୁପମ ଖେର ଲେଖିଛନ୍ତି, “ଆଶ୍ଚର୍ଯ୍ୟଜନକ, କଙ୍ଗନା ରାଣାୱତ ଭାରତୀୟ ଇତିହାସର ସବୁଠାରୁ ଶକ୍ତିଶାଳୀ ମହିଳା ଇନ୍ଦିରା ଗାନ୍ଧୀ ବେଶ ଧାରଣ କରିଛନ୍ତି। ଏହି ମେକଅପ୍ ପାଇଁ ଏକାଡେମୀ ପୁରସ୍କାର ବିଜେତା ଡିଜେ ମାଲିନୋଭସ୍କିଙ୍କ ପ୍ରତିଭା ସହିତ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନକୁ ଦେଖନ୍ତୁ।’’ ତେବେ ଜାନୁଆରୀ ୧୭ ତାରିଖରେ ଫିଲ୍ମ ରିଲିଜ ହେବା ପରେ ସାଧାରଣ ଜନତା ଏହାକୁ ଦେଖିପାରିବେ । ହେଲେ ସମୟ କହିବ ଫିଲ୍ମ ଦେଖିବାକୁ ରାହୁଲ ଓ ପ୍ରିୟଙ୍କା ଯାଉଛନ୍ତି କି ନାହିଁ ।