କନକ ବ୍ୟୁରୋ: କଣାସରେ ବ୍ୟାପିଲାଣି ଝାଡ଼ାବାନ୍ତି । ୬ ଦିନରେ ୬୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା ହୋଇସାରିଥିବା ବେଳେ, କଣାସର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ସିଡିଏମଓ । ମେଡିକାଲର ସ୍ଥିତି ଅନୁଧ୍ୟାନ କରିବା ସହ ଅପରିଷ୍କାର ପାଣିରେ ଭୋଜି ଭାତ କରିବାକୁ ବାରଣ କରିଛନ୍ତି । ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତେଇ ଦେଇଛନ୍ତି । ଏପଟେ କଣାସ ଜଙ୍କିଆ ଗଡ଼ସାହିରେ ଝାଡାବାନ୍ତିରେ ଆଶାମଣୀ ବେହେରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।  

Advertisment

ସେପଟେ ବ୍ରହ୍ମପୁର ଏମକେସିଜିରେ ହଇଜା ନେଲା ଆଉ ଏକ ଜୀବନ । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ହଇଜା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା କଂସାମାରୀ ଗ୍ରାମର ୭୫ ବର୍ଷୀୟ ବୃଦ୍ଧା କେ.ପୁନି ରେଡ୍ଡୀ । ୩ଦିନ ତଳେ ସେ ହଇଜା ଆକ୍ରାନ୍ତ ହୋଇ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ପରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାକୁ ଛୁଇଁଛି ହଇଜା । ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଇଜା ଆକ୍ରାନ୍ତ ଆସି ବ୍ରହ୍ମପୁର MKCGରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରୁ ମିଳିଥିବା ସୂଚନା ଅନୁସାରେ ଗତ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ମୋଟ ୪୮ଜଣ ହଇଜା ଆକ୍ରାନ୍ତ MKCGରେ ଭର୍ତ୍ତି ହୋଇଥିବା ବେଳେ ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।