କନକ ବ୍ୟୁରୋ : କନକ ନ୍ୟୁଜ ଲଗାତାର ଦେଢମାସ ଧରି ସୁନ୍ଦରଗଡ ଖଣି ଚୋରିର ପର୍ଦ୍ଦାଫାସ କରିଥିଲା । ଏବେ ଏହି ଖଣି ଚୋରକୁ ଧରିବ ଭିଜିଲାନ୍ସ । ଚୋରଙ୍କୁ ଧରିବା ପାଇଁ ଏସଆଇଟି ବି ଗଠନ ହୋଇଛି । କଳାହୀରାର ଚୋରି ନେଇ କନକ ନ୍ୟୁଜରେ ଲଗାତାର ଖବର ପ୍ରସାରଣ ହୋଇଥିଲା । ହେମଗିରି ତହସିଲରେ ଶହେରୁ ଅଧିକ ଖଣିରେ ବେଆଇନ ଭାବେ ଲକ୍ଷ ଲକ୍ଷ ଟନ୍ କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି । ହେମଗିରିର ଜାମଖାନି ସରଂକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗାଁରେ ବେଆଇନ ଭାବେ କୋଇଲା ଗଚ୍ଛିତ ଥିଲା ଯାହାର ପର୍ଦ୍ଦାଫାସ କରିଥିଲା କନକ ନ୍ୟୁଜ । କୋଇଡାରୁ ବି ମାଙ୍ଗାନିଜ ଓ ଲୁହାପଥର ଚୋରିର ପର୍ଦ୍ଦାଫାଶ ହୋଇଥିଲା । ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଖଣି ଉତ୍ତୋଳନ ସ୍ଥାନକୁ ଯାଇ ରିପୋର୍ଟ ସଂଗ୍ରହ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଖଣି ମନ୍ତ୍ରୀ ଆଜି ଗୋପାଳପୁରରେ କହିଛନ୍ତି, ଦୋଷୀଙ୍କୁ ଖୋଜି ବାହାର କରାଯିବ ।
ସୁନ୍ଦରଗଡ ଖଣି ଚୋରି ରାଜ୍ୟର ସବୁଠାରୁ ବଡ ଖଣି ଚୋରି ବୋଲି କୁହାଯାଉଛି । ବହୁ ବିଚାରବିମର୍ଷ ପରେ ଏସଆଇଟି ଗଠନ ହୋଇଛି । କିନ୍ତୁ ବିରୋଧୀ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସଆଇଟି ନଚେତ ସିବିଆଇ ତଦନ୍ତ ପାଇଁ ବିରୋଧୀ ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝି ଖଣି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଖଣି ଚୋରଙ୍କ ମଧ୍ୟରେ ଛନକା ପଶିଛି । ଏବେ ଅପେକ୍ଷା ତଦନ୍ତ କେବେ ସରିବ , ରିପୋର୍ଟ ଆଧାରରେ କେବେ କାର୍ଯ୍ୟାନୁଷ୍ଠାନ ହେବ ଓ ଦୋଷୀ କେବେ ଦଣ୍ଡିତ ହେବେ ।