କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୁନ୍ଦରଗଡ଼ ଚୋରା କୋଇଲା ଖଣିର ତଦନ୍ତ ଆରମ୍ଭ ହୋଇଛି । ଗୋପାଳପୁର,ତେଲେନଡ଼ିହି,ରତନସରାରେ ପହଞ୍ଚିଛି ଭିଜିଲାନ୍ସ ଏସଆଇଟିର ସ୍ୱତନ୍ତ୍ର ଟିମ୍ । ୧୦ ଜଣିଆ ଟିମ୍ ଚୋରା କୋଇଲା ଖଣିର କରିଛି ସରଜମିନ ତଦନ୍ତ । ଭିଜିଲାନ୍ସର ସ୍ୱତନ୍ତ୍ର ୧୦ ଜଣିଆ ଏସଆଇଟି ଟିମ୍ ସହିତ ରାଜ୍ୟ ଖଣି ବିଭାଗର ସ୍ପେଶାଲ୍ ଏନଫୋର୍ସମେଣ୍ଟ ଟିମ୍,ଜିଲ୍ଲା ଖଣି ବିଭାଗର ଅଧିକାରୀ, ସ୍ଥାନୀୟ ତହସିଲଦାର ଓ ଫରେଷ୍ଟ ରେଞ୍ଜ ଅଫିସର ରହିଛନ୍ତି । ଭିଜିଲାନ୍ସର ସ୍ୱତନ୍ତ୍ର ଏସଆଇଟି ଟିମ୍ ଗୋଟିଏ ଗୋଟିଏ ଚୋରା ଖଣିକୁ ଯାଇ ସେଠାରେ କେତେ ମାତ୍ରାରେ ଚୋରି ହୋଇଛି ତା’ର ତଦନ୍ତ କରୁଛନ୍ତି । ଏହା ସହ କେବେ ଠାରୁ ଏହି ଖଣି ଚୋରି ଆରମ୍ଭ ହୋଇଛି ଓ କେଉଁ କେଉଁ ମାଫିଆ ଖଣି ଚୋରି କରିଛନ୍ତି ତା’ର ତାଲିକା ପ୍ରସ୍ତୁତ କରିଛି । ଛତିଶଗଡ଼ରୁ ଯେଉଁ ମାଫିଆ ଆସି ସୁନ୍ଦରଗଡ଼ରୁ କୋଇଲା ଚୋରି କରୁଥିଲେ ତା’ର ଗୁରୁତ୍ବପୂର୍ଣ୍ଣ ତାଲିକା ଭିଜିଲାନ୍ସ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏପ୍ରିଲ ମାସରେ ଏହି ବଡ଼ ଖଣି ଚୋରିର ଖୁଲାସା କରିଥିଲା କନକ ନ୍ୟୁଜ୍ ।
କୋଇଡ଼ାରେ ବି ଏସଆଇଟିର ତନାଘନା । ବାହାରିବ କି ବେଆଇନ ଲୁହାପଥର ଉତ୍ତୋଳନର ସତ ? ଭିଜିଲାନ୍ସ ସେଲ୍ ଦ୍ଵାରା ଗଠିତ ଏସଆଇଟି ଟିମ୍ କୋଇଡ଼ାରେ ପହଞ୍ଚି ତନାଘନା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଗଣୁଆଁ ଫରେଷ୍ଟ ଅଞ୍ଚଳର ଦୁଇଟି ସ୍ଥାନକୁ ଯାଇ ତନାଘନା କରିଛି ଟିମ୍ । କେବଳ କୋଇଡ଼ା ଅଞ୍ଚଳରେ ବନ୍ଦ ଥିବା ଖଣି ଓ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ୨୦ ହଜାର ମେଟ୍ରିକ୍ ଟନ୍ ଠାରୁ ଅଧିକ ମାଙ୍ଗାନିଜ ପଥର ଏବଂ ୧୨୦୦ ମେଟ୍ରିକ୍ ଟନରୁ ଅଧିକ ଲୁହା ପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାର ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବେଆଇନ ଖଣି ଚୋରିର ତଦନ୍ତ ଆରମ୍ଭ ହୋଇଛି । ପ୍ରଶ୍ନ ଉଠୁଛି, ଦୁର୍ନୀତିର ହେବ କି ଖୁଲାସା? ଧରାପଡ଼ିବେ କି ମାଫିଆ?