କନକ ନ୍ୟୁଜ: ବାଜିଲା ଖବର, ଆଉ ଖବର ବାଜିବା ପରେ ଚେତା ପଶିଲା ସ୍ୱାସ୍ଥ୍ୟ ବିଭାଗର । କାରଣ ଖୋଜିବା ସହିତ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଗାଁରେ ପହଁଚିଲା ମେଡିକାଲ ଟିମ । ମୟୂରଭଂଜ ଜିଲ୍ଲା ଉଦଳା ବ୍ଲକ ରାଢୋ ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ କିଡ଼ନୀ ରୋଗ କାୟା ବିସ୍ତାର କରୁଥିବା ନେଇ ଗ୍ରାଉଣ୍ଡରୁ ଖବର ପରିବେଷଣ କରିଥିଲା କନକ ନ୍ୟୁଜ । ଖବର ବାଜିବା ପରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହିତ ସ୍ୱାସ୍ଥ୍ୟ ବିଭାଗର ଟିମ ପହଁଚିଛି ଗାଁରେ । ଜଳ ଓ ପରିମଳ ବିଭାଗର ଚିଫ ଇଞ୍ଜିନିଅରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଆଡିସନାଲ ଡାଇରେକ୍ଟର, ଭେଷଜ ଏବଂ ଅନ୍ୟ ବିଭାଗର ଡାକ୍ତର ଗାଁରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । କିଡ଼ନୀ ରୋଗରେ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ସେପଟେ କିଡ଼ନୀ ରୋଗ ବ୍ୟାପିବା ପଛରେ ପାନୀୟ ଜଳ କାରଣ ରହିଥାଇ ପରେ । ଏହାକୁ ନେଇ ଜଳ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମବାସୀ ବ୍ୟବହାର କରୁଥିବା ପାନୀୟ ଜଳର ନମୁନା ସଂଗ୍ରହ କରି ଟେଷ୍ଟ କରାଯାଇଛି । ପାନୀୟ ଜଳରେ କୌଣସି ସମସ୍ୟା ନଥିବା କହିଛନ୍ତି ଚିଫ ଇଞ୍ଜିନିଅର । ତେବେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବାରମ୍ବାର ଯାଞ୍ଚ କରାଯିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।