କନକ ବ୍ୟୁରୋ : ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ବିଭାଗ ଅତିରିକ୍ତ ସଚିବ । ପ୍ରାୟ ୫୦ ଲକ୍ଷ ରାସନ କାର୍ଡ ହିତାଧିକାରୀ E-KYC ଅପଡେଟ୍‌ କରିନଥିବା ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ । ଏମାନେ ମାଗଣା ଚାଉଳରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ତେଣୁ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସମୀକ୍ଷା କରିଛି ଯୋଗାଣ ବିଭାଗ ।

Advertisment

ଏହାପରେ ନିର୍ଦ୍ଦେଶ ଦିଆଯାଇଛି, ପଞ୍ଚାୟତ ସ୍ତରରେ ଇ-କେୱାଇସି ବୃଦ୍ଧି ପାଇଁ ବ୍ୟାପକ ପ୍ରଚାର, ପ୍ରସାର କରାଯିବ । ବୈଦୁତିକ ଓ ଛାପା ଗଣମାଧ୍ୟମ ସହ ସୋସିଆଲ ମିଡିଆରେ ହେବ କ୍ୟାମ୍ପେନ୍‌ । ନିର୍ଦ୍ଦିଷ୍ଟ ପୋର୍ଟାଲରେ ଇ-କେୱାଇସିର ଷ୍ଟାଟସ୍‌ ପରଖି ପାରିବେ ହିତାଧିକାରୀ । www.foododisha.in ପୋର୍ଟାଲର ଟ୍ରାନ୍ସପାରେନ୍ସି ପେଜରେ ଦେଖିପାରିବେ। ମୋବାଇଲ ଓ ଆଧାର ନମ୍ବର ଦେଇ ଇ-କେୱାଇସିର ଷ୍ଟାଟସ ପରଖି ପାରିବେ। ଜାନୁଆରୀ ୧୫ ସୁଦ୍ଧା ଅନ୍ୟୁନ ୯୦ ପ୍ରତିଶତ ଇ-କେୱାଇସି ଅପଡେଟ୍‌ ଜରୁରୀ ।

ସବୁଠାରୁ ବଡ଼କଥା ହେଉଛି ବର୍ତ୍ତମାନ ସୁଦ୍ଧା ୪୮ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପଡେଟ୍‌ କରିପାରିନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ୧୫ ପର୍ଯ୍ୟନ୍ତ ଥିବା ଅବଧିକୁ ଏମାସ ଶେଷ ଯାଏଁ ବଢ଼ାଇ ଦିଆଯାଇଛି । ପ୍ରଶ୍ନ ଉଠୁଛି ୧୫ ଦିନରେ ସବୁ ସମସ୍ୟାର ସମାଧାନ କରି ସମସ୍ତଙ୍କ ଇ-କେୱାଇସି ଅପଡେଟ୍‌ କରିବାକୁ ସମର୍ଥ ହେବେ କି ସରକାର ।

E-KYC ଅପଡେଟ୍‌ କରିବାରେ ନେଟୱର୍କ ଏକ ବଡ଼ ସମସ୍ୟା ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪୧ଟି ଫେୟାର ପ୍ରାଇସ ସପ୍‌ ରହିଛି । ଜାନୁଆରୀ ୩୧ ସୁଦ୍ଧା ୧୦୦ଟି ଏଫ୍‌ପିଏସ୍‌କୁ ଅନଲାଇନରେ ପରିଣତ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଏଫ୍‌ପିଏସ୍‌କୁ ଅନଲାଇନରେ ପରିଣତ କରିବାକୁ ନେଟୱର୍କ ସର୍ଭେ କରିବାକୁ କହୁଯାଇଛି । ଜଣେ ବି ଯୋଗ୍ୟ ହିତାଧିକାରୀ, ଯେମିତି ମାଗଣା ଚାଉଳ ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ସବୁପ୍ରକାର ପ୍ରୟାସ ଚଳାଇଛନ୍ତି ରାଜ୍ୟ ସରକାର ।

ସମସ୍ତ ବାଇପାସ୍‌ କେସ୍‌ରେ ନୋମିନି ପଞ୍ଜୀକରଣ କରି ଆଧାରା ଅପଡେଟ୍‌ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଅର୍ଥାତ କୌଣସି ହିତାଧିକାରୀ ରାସନ ପାଇଁ ଯାଇନପାରିଲେ, ନୋମିନିଙ୍କୁ ପଠାଇ ପାରିବେ । ନୋମିନି ରାସନ ସଂଗ୍ରହ କରିବାକୁ ଗଲେ ପ୍ରକୃତ ହିତାଧିକ୍ରୀଙ୍କ ମୋବାଇଲକୁ ଏକ ଓଟିପି ଯିବ । ସେହି ଓଟିପି ଦେଇ ନୋମିନି ଜଣକ ପ୍ରକୃତ ହିତାଧିକାରୀଙ୍କ ପାଇଁ ରାସନ ଉଠାଇ ପାରିବେ ବୋଲି କୁହାଯାଇଛି ।