କନକ ବ୍ୟୁରୋ: କର୍ପୋରେଟ୍‌ ଦଲାଲ ହଂସିତା ଓ ଅନୀଲଙ୍କ ବାବଦରେ ଆୟକର ବିଭାଗର ତଦନ୍ତ ଯେତିକି ଆଗଉଛି, ସେତିକି ରୋଚକ ତଥ୍ୟ ପଦାକୁ ଆସୁଛି। କେମିତି ଝାଡ଼ଖଣ୍ଡର ଟ୍ରେଡିଂ କମ୍ପାନି ସହ ୩୦୦ କୋଟିର ଡିଲ କରିଥିଲେ ଏହି ଧୂର୍ତ୍ତ ଦମ୍ପତି ତାର ଖୁଲାସା କରିଛି ଆଇଟି ବିଭାଗ। ଏପରିକି ୩୦ କୋଟି ଟଙ୍କା ଅଗ୍ରୀମ ଆଣି କିଣିଥିଲେ ଘର ଓ ଗାଡ଼ି। ସରୋଜ ସାହୁର ମୋବାଇଲ ଚାଟିଂରୁ ଏହି ଟଙ୍କା କାରବାରର ଟେର ପାଇଛି ତଦନ୍ତକାରୀ ସଂସ୍ଥା । ଏ ପର୍ଯ୍ୟନ୍ତ ୧୨ ଜଣ ବିଲ୍‌ଡର, ଠିକାଦାର ଓ ବ୍ୟବସାୟୀଙ୍କ ଡାକି ଦେରା କରିସାରିଲାଣି। ଆଗକୁ କିଛି ରାଜନେତାଙ୍କୁ ଡାକି ଝାଳବୁହା ଜେରା କରିବାକୁ ତାଲିକା ପ୍ରସ୍ତୁତ କରିଛି।

Advertisment

ଓଡ଼ିଶାର ସୀମା ଡେଇଁ ପଡ଼ୋଶୀ ରାଜ୍ୟରେ ମାୟାଜାଲ ବିଛାଇଥିଲା କର୍ପୋରେଟ ଦଲାଲ ହଂସିତା ଅଭିଲିପ୍ସା। ଆୟକର ବିଭାଗ ହାତରେ ଲାଗିଛି, କେମିତି ପ୍ରଭାବଶାଳୀ ବ୍ୟକ୍ତି ଓ ସଂସ୍ଥାକୁ ଲୁଟୁଥିଲା ଏହି ମାୟାବିନୀ। ଟାର୍ଗେଟ ଫିକ୍ସ କରି ଲୁଟ୍‌ ପାଇଁ ବନାଉଥିଲା ବ୍ଲୁ-ପ୍ରିଣ୍ଟ। ଝାଡ଼ଖଣ୍ଡରେ ଥିବା ଏକ ଟ୍ରେଡିଂ କମ୍ପାନି ବୋକାରୋରେ  ଲୁଟର ସମ୍ଭାବନା ଥିବା ଜାଣିପାରି ଝାଡ଼ଖଣ୍ଡରେ ଅଫିସ ଖୋଲିଥିଲା ଧୁର୍ତ୍ତ ହଂସିତା। କମ୍ପାନିର ଜଣେ କର୍ମଚାରୀଙ୍କୁ ବିଶ୍ୱାସକୁ ନେଇ ୩୦୦ କୋଟିର ଡିଲ କରିଥିଲା। 

୩୦୦ କୋଟି ଲୁଟର ବ୍ଲୁ-ପ୍ରିଣ୍ଟ 

  • ଝାଡ଼ଖଣ୍ଡରେ ବୋକାରୋ କମ୍ପାନି ତାର ଫ୍ୟାକ୍ଟ୍ରି ବଢ଼ାଇବାକୁ ଚାହୁଁଥିଲା
  • ପଜେସନ୍‌ ପାଇଁ ଲୋକ ଖୋଜୁଥିଲା ବୋକାରୋ କମ୍ପାନି
  • ପ୍ରାୟ ୩୦୦ ପରିବାରକୁ ଉଚ୍ଛେଦ କରିବା ଜରୁରୀ ଥିଲା
  • ଏହି ଖବର ପାଇ ପହଞ୍ଚି ଯାଇଥିଲା କର୍ପୋରେଟ୍‌ ଦଲାଲ ହଂସିତା
  • ଗୋଟିଏ ପରିବାରକୁ କୋଟିଏ ଟଙ୍କା ଆଧାରରେ ହୋଇଥିଲା ଡିଲ୍‌
  • ଅର୍ଥାତ ୩୦୦ କୋଟି ଟଙ୍କାରେ ଛିଡ଼ିଥିଲା ଡିଲ୍‌
  • ଡିଲ୍‌ ହୋଇସାରିବା ପରେ ଝାଡ଼ଖଣ୍ଡରେ ଅଫିସ ଖୋଲି ଆରମ୍ଭ କରିଥିଲା ଅପରେସନ୍
  • କମ୍ପାନି ଏଥିପାଇଁ ଅଗ୍ରୀମ ଆକାରରେ ୩୦ କୋଟି ଟଙ୍କା ଦେଇଥିଲା

ଆୟକର ବିଭାଗ ଏହି ମାମଲାରେ ୧୨ ଜଣଙ୍କୁ ଜେରା କରିସାରିଛି। ତଦନ୍ତ ବେଳେ ରାଜନୈତିକ ଲୋକଙ୍କ ମୁହଁ ଜଳଜଳ ହୋଇ ଦିଶୁଛି। ଖୁବଶୀଘ୍ର ଅଫିସକୁ ଘୋଷାଡ଼ି ଝାଳବୁହା ଜେରା କରିବ ବୋଲି କହିଛି ଆୟକର ବିଭାଗ। ଆୟକର ବିଭାଗ ଜାଣିବାକୁ ପାଇଛି, ପଜେସନ ବାବଦକୁ ବୋକାର କମ୍ପାନି ଦେଇଥିବା ଅଗ୍ରୀମ ୩୦ କୋଟି ଟଙ୍କା ୪ ଜଣଙ୍କ ଆକାଉଣ୍ଟକୁ ଯାଇଛି। ପୁରା ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ ହଂସିତା ଅଭିଲିପ୍ସା, ସରୋଜ ସାହୁ, ରାଜନେତା ମନୋଜ ଆଚାର୍ଯ୍ୟଙ୍କ ବାପା ସୀମାଞ୍ଚଳ ଆଚାର୍ଯ୍ୟ ଏବଂ ଅନୀଲ ମହାନ୍ତିଙ୍କ ଭିତରେ ବଣ୍ଟା ଯାଇଛି ଏହି ଲୁଟ୍‌ ଟଙ୍କା। ହଂସିତାଙ୍କ ପୂର୍ବତନ ସ୍ୱାମୀ ସରୋଜ ସାହୁଙ୍କ ଫୋନ ଚାଟିଂଙ୍କୁ ଏକଥା ଜାଣିପାରିଛି ଆୟକର ବିଭାଗ। 

ବୋକାରୋ ଟଙ୍କାରେ ଘର ଓ ଗାଡ଼ି କିଣାଯାଇଛି। ୨୦୨୨ ଡିସେମ୍ୱରରେ ବୋକାରୋ କମ୍ପାନି ସହ ଡିଲ ହୋଇଥିବାବେଳେ ୨୦୨୩ ଜାନୁଆରୀ ସୁଦ୍ଧା ଟଙ୍କା ବିଭିନ୍ନ ଆକାଉଣ୍ଟରେ ପହଞ୍ଚି ଯାଇଥିଲା। ବଡ଼କଥା ହେଉଛି ବୋକାରୋ କମ୍ପାନିର ପ୍ରେସିଡେଣ୍ଟଙ୍କ ପୁଅର ପାଠପଢ଼ା ବାବଦକୁ ୫୦ ଲକ୍ଷ ଟଙ୍କା ଆକାଉଣ୍ଟରେ ପଠାଇ ଏମାନେ ଫସିଯାଇଥିଲେ। ସେହି ଖିଅକୁ ଧରି ପୁରା ହଂସିତା ସାମ୍ରାଜ୍ୟର ଫୋଲ ଖୋଲିଛି ଆୟକର ବିଭାଗ।