କନକ ବ୍ୟୁରୋ : ଜିଏସଟି ହ୍ରାସ ନିଷ୍ପତ୍ତି ପରେ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି । ବିଶେଷକରି ଚିକିତ୍ସା ପାଇଁ ଯାଉଥିବା ଲୋକମାନେ ବେଶି ଉପକୃତ ହେବେ । ଔଷଧ ଉପରେ ଜିଏସଟି ହ୍ରାସ ପାଇଁ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ୩୩ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ଉପରେ ଆଦୌ ଜିଏସ୍ଟି ଲାଗିବ ନାହିଁ । ଏହି ୩୩ ପ୍ରକାର ଔଷଧ ଉପରେ ପୂର୍ବରୁ ୧୨% ଜିଏସ୍ଟି ଲାଗୁ ହୋଇଥିଲା । ସେହିପରି ଆଉ ୩ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ଉପରେ ପୂର୍ବରୁ ୫% ଜିଏସ୍ଟି ଥିଲା । ଏବେ ଆଦୌ ଜିଏସ୍ଟି ଲାଗିବ ନାହିଁ ।
ଏସବୁ ଜୀବନ ରକ୍ଷାକାରୀ ଔଷଧ ମଧ୍ୟରେ କ୍ୟାନସର ଏବଂ ଅନ୍ୟାନ୍ୟ ଦୁରାରୋଗ୍ୟ ଔଷଧ ରହିଛି । ଅନ୍ୟ ସମସ୍ତ ଔଷଧ ଉପରେ ପୂର୍ବରୁ ୧୨% ଜିଏସ୍ଟି ଲାଗୁଥିଲା । ଯେଉଁସବୁ ଔଷଧ ଉପରେ ପୂର୍ବରୁ ୧୨ ପ୍ରତିଶତ ଜିଏସଟି ଥିଲା, ସେସବୁ ଉପରେ ଏବେ ୫% ଜିଏସ୍ଟି ଲାଗିବ । ସେହିପରି ବିଭିନ୍ନ ଚିକିତ୍ସା ଉପକରଣ ଉପରେ ପୂର୍ବରୁ ୧୨% ଜିଏସ୍ଟି ଲାଗୁଥିଲା । ଏବେ ୫% ଜିଏସ୍ଟି ଲାଗିବ । ପଶୁ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଉପକରଣ ଉପରେ ମଧ୍ୟ ଜିଏସଟି ୫ ପ୍ରତିଶତକୁ କମାଇବାକୁ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସ୍ୱାସ୍ଥ୍ୟ ଓ ଜୀବନ ବୀମା ଉପରେ ମଧ୍ୟ ଜିଏସ୍ଟି ଲାଗିବ ନାହିଁ । ସମସ୍ତ ସାମଗ୍ରୀ ଉପରେ ସେପ୍ଟେମ୍ବର ୨୨ ତାରିଖରୁ ନୂଆ ଜିଏସ୍ଟି ସ୍ଲାବ୍ ଲାଗୁ ହେବ । ଦୀପାବଳି ପୂର୍ବରୁ ଜିଏସ୍ଟି ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଦଶହରା ପୂର୍ବରୁ ସଂସ୍କାର ଅଣାଯାଇଛି ।