କନକ ବ୍ୟୁରୋ : ଆସନ୍ତାକାଲି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ । ତାଙ୍କୁ ନେଇ ଜାରି ରହିଛି ନାନା ଚର୍ଚ୍ଚା, ବଢୁଛି ଉତ୍କଣ୍ଠା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । କିଛି ଘଣ୍ଟା ପରେ ହ୍ୱାଇଟ ହାଉସର ବସ୍ କିଏ ହେବ ତାହା ସ୍ପଷ୍ଟ ହେବ । ମତଦାନ ପାଇଁ କ୍ୟାମ୍ପେନର ଡେଡଲାଇନ୍ ପୂର୍ବରୁ ଶକ୍ତି ପ୍ରଦର୍ଶନ ପାଇଁ ବଳ ପ୍ରଚାର କରିଛନ୍ତି ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଏଥର ନିର୍ବାଚନରେ ବୃହତ ବ୍ୟବଧାନରେ ନିର୍ବାଚନ ଜିଣିବେ ବୋଲି ଦୁଇ ପ୍ରାର୍ଥୀ ଦୃଢ଼ ଆଶାବାଦୀ ରହିଛନ୍ତି । 

Advertisment

ତେବେ ମ୍ୟଜିକ୍ ନମ୍ବର ୨୭୦ କିଏ ପାର୍ କରି ହ୍ୱାଇଟ ହାଉସରେ ଏଣ୍ଟ୍ରି ମାରିବେ ତାକୁ ଜନତା ଜନାର୍ଦ୍ଦନ ହିଁ ନିଷ୍ପତ୍ତି ନେଇଛନ୍ତି । ରାଜନୀତି ବିଶାରଦଙ୍କ କହିବା କଥା ଚଳିତ ନିର୍ବାଚନରେ ପେନସଲଭେନିଆ ଏବଂ ମିସଗନ୍ ଏହି ଦୁଇ ରାଜ୍ୟ କିଏ ରାଷ୍ଟ୍ରପତି ରେସ୍ ଜିତିବ ତାହା ନିର୍ଣ୍ଣୟ କରିବେ । ଡେମୋକ୍ରାଟିକ୍ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ବଂଶଦ୍ଭବ କମଲା ହାରିସ । ସେପଟେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟଙ୍କ ମଧ୍ୟରେ ହୋଇପାରେ କଡ଼ା ଟକ୍କର । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ପାଇଁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ୨୭୦ ଭୋଟ୍ ସହ ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ ।