କନକ ବ୍ୟୁରୋ: ଫିଲ୍ମ ସୁପରଷ୍ଟାର୍ କଲମ ହାସନଙ୍କ ରାଜନୈତିକ କ୍ୟାରିୟର ଆଉ ଫିଲ୍ମ କ୍ୟାରିୟର୍ ଭିତରେ ଆକାଶ ପାତାଳର ଫରକ ରହିଛି । ଫିଲ୍ମ ଜଗତରେ ସେ ବେତାଜ ବାଦଶାହ ଭଳି ଖ୍ୟାତି ଅର୍ଜନ କରିଥିବାବେଳେ, ପଲିଟିକାଲ୍ କ୍ୟାରିୟରରେ କିନ୍ତୁ ସେତେଟା ଖାସ୍ ଉପଲବ୍ଧି ହାସଲ କରିପାରିନାହାନ୍ତି । ହେଲେ ଏଭଳି ସମୟରେ ବି, କମଲ ହାସନଙ୍କ ବୁଡ଼ିଯାଉଥିବା ରାଜନୈତିକ କ୍ୟାରିୟରର ଡଙ୍ଗାକୁ, କୁଟା ଖିଅ ଭଳି ସାହା ହୋଇଛନ୍ତି ଡିଏମକେ ନେତା ଏମକେ ଷ୍ଟାଲିନ୍ । ଏମିତି କି କନ୍ନଡ଼ ଭାଷାକୁ ନେଇ ବିବାଦ ଭିତରେ ଫସିଥିଲେ ବି, କମଲ ହାସନଙ୍କୁ ରାଜ୍ୟସଭା ଯିବା ପାଇଁ ବାଟ ଛାଡ଼ିଦେଇଛି ଡିଏମକେ ।

Advertisment

ଆସନ୍ତା ଜୁନ୍ ୧୯ ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନରେ ତାମିଲନାଡୁରୁ ଖାଲି ହେବାକୁ ଥିବା  ୬ଟି ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ । ସଂଖ୍ୟାବଳ ଦୃଷ୍ଟିରୁ ଏଠାରେ ଡିଏମକେ ୪ଟି ସିଟ୍ ଜିତିବା ଏକପ୍ରକାର ପକ୍କା, ହେଲେ ତା’ ପରେ ବି ମେଣ୍ଟ ଧର୍ମ ପାଳନ କରି କମଲ ହାସନଙ୍କ ପାର୍ଟି ଏମଏନଏମ୍ ପାଇଁ ଗୋଟିଏ ସିଟ୍ ଛାଡ଼ିଦେଇଛି ଡିଏମକେ । ତେଣୁ ଏହି ସିଟରୁ କମଲ ହାସନ ରାଜ୍ୟସଭାକୁ ଯିବା ପକ୍କା ବୋଲି ଜଣାପଡୁଛି । ହେଲେ ଡିଏମକେ, କମଲ ହାସନଙ୍କୁ ଗୋଟିଏ ରାଜ୍ୟସଭା ସିଟ୍ ଛାଡ଼ିଦେବା ଦଳ ପାଇଁ କେତେ ଲାଭଦାୟକ ହେବ, ତାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି?

ଏହା ପଛର କାରଣ ହେଉଛି, ତାମିଲ-କନ୍ନଡ ଭାଷାକୁ ନେଇ ମନ୍ତବ୍ୟ ଦେବା ଘଟଣାରେ ଏବେ ବିବାଦ ଭିତରେ ଫସିଛନ୍ତି କମଲ ହାସନ । ନିଜ ଫିଲ୍ମ ‘ଠଗ୍ ଲାଇଫ୍’ ରିଲିଜ୍ ସମୟରେ କମଲ ହାସନ କହିଥିଲେ, କନ୍ନଡ ଭାଷା ତାମିଲ ଭାଷାରୁ ହିଁ ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି । ଏମିତି କି, ବିଜେପି ଆଉ କଂଗ୍ରେସ ମଧ୍ୟ ଏହି ବୟାନକୁ ନେଇ କମଲ ହାସନଙ୍କୁ ବିରୋଧ କରୁଥିବାବେଳେ, ଡିଏମକେ କିନ୍ତୁ ଏଭଳି ସମୟରେ କମଲ ହାସନଙ୍କୁ ରାଜ୍ୟସଭା ପାଇଁ ବାଟ ଛାଡ଼ିଛି । ତେଣୁ ଚର୍ଚ୍ଚା ହେବା ସ୍ୱାଭାବିକ ଯେ, ଏହା ପଛରେ ଡିଏମକେର ଫାଇଦା କଣ?

ଡିଏମକେକୁ ଫାଇଦା କଣ?

ପ୍ରଥମ କଥା ହେଲା, ୨୦୨୪  ମସିହା ଲୋକସଭା ନିର୍ବାଚନ ପୂର୍ବରୁ ଷ୍ଟାଲିନଙ୍କ ଡିଏମକେ ଏବଂ କମଲ ହାସନଙ୍କ ଏମଏନଏମ ଭିତରେ ମେଣ୍ଟ ହୋଇଥିଲା । ଆଉ ମେଣ୍ଟ ଧର୍ମ ପାଳନ କରି ଏବେ କମଲ ହାସନଙ୍କ ଦଳ ପାଇଁ ଗୋଟିଏ ରାଜ୍ୟସଭା ସିଟ୍ ଛାଡ଼ିଦେଇଛି ଡିଏମକେ । ଯାହାକି ଷ୍ଟାଲିନଙ୍କୁ ଫାଇଦା ଦେବ । କାହିଁକି ନା, ଏହି ଗୋଟିଏ ନିଷ୍ପତ୍ତି ତାମିଲନାଡୁରେ ଛୋଟ ଦଳମାନଙ୍କୁ ଡିଏମକେ ସହ ଆସିବାକୁ ବିଶ୍ୱାସ ଦେବ, ଆଉ ଡିଏମକେକୁ ସ୍ଥାନୀୟ ନିର୍ବାଚନରେ ଏହାର ଫାଇଦା ମିଳିବ ।

ଅନ୍ୟପଟେ କମଲ ହାସନ ଫିଲ୍ମ ଜଗତରେ ଲୋକପ୍ରିୟ ଚେହେରା ହୋଇଥିବାରୁ ଏହାର ଫାଇଦା ମଧ୍ୟ ଡିଏମକେକୁ ମିଳିବ । କାହିଁକି ନା, ତାମିଲନାଡୁ ରାଜନୀତିରେ ପୂର୍ବରୁ ମଧ୍ୟ ଫିଲ୍ମ ଆକ୍ଟରମାନଙ୍କର ଯଥେଷ୍ଟ ପ୍ରଭାବ ରହିଆସିଛି । ସେ ଏମଜି ରାମଚନ୍ଦ୍ରନ ହୁଅନ୍ତୁ କି, ଏମ୍ କରୁଣାନିଧି, ନହେଲେ ଜୟଲଳିତା ବି ହୁଅନ୍ତୁ । ସବୁ ସମୟରେ ଫିଲ୍ମ ଜଗତରେ ସକ୍ରିୟ ଥିବା ଲୋକ, ତାମିଲନାଡୁ ଭୋଟରଙ୍କ ମନ ଜିଣିବାରେ ସହାୟକ ହୁଅନ୍ତି । ତେଣୁ ସେହି କ୍ରମରେ ଡିଏମକେର ଭୋଟ୍ ବଢ଼ାଇବାରେ ମଧ୍ୟ କମଲ ହାସନ ସାହାଯ୍ୟ କରିପାରନ୍ତି ।

ତୃତୀୟ କଥା ହେଲା, କମଲ ହାସନ ରାଜ୍ୟସଭାକୁ ଆସିଲେ ତାମିଲନାଡୁର ସମସ୍ୟା, ମୁଦ୍ଦାକୁ ବଳିଷ୍ଠ ଢଙ୍ଗରେ ରାଜ୍ୟସଭାରେ ଉପସ୍ଥାପନ କରିପାରିବେ । ଆଉ ଗଣମାଧ୍ୟମର ନଜର ମଧ୍ୟ କମଲ ହାସନଙ୍କ ଉପରେ ରହିବ । ଯେଉଁ କାରଣରୁ ଏହା ଡିଏମକେକୁ ଫାଇଦା ଦେବ । ଅନ୍ୟପଟେ ଆସନ୍ତାବର୍ଷ ୨୦୨୬ରେ  ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ତେଣୁ କମଲ ହାସନଙ୍କୁ ସାଙ୍ଗରେ ନେଇ ଡିଏମକେ କ୍ୟାମ୍ପେନ୍ କରିବା ଫଳରେ, ଏହାର ଫାଇଦା ଭୋଟ୍ ପ୍ରତିଶତ ଉପରେ ମଧ୍ୟ ପଡ଼ିପାରେ ।

ତେଣୁ ଏ ସବୁକୁ ଦେଖିଲେ, ଷ୍ଟାଲିନଙ୍କ ଏ ଚାଲ୍ ପରୋକ୍ଷରେ ଡିଏମକେକୁ ହିଁ ଫାଇଦା ଦେବ । କମଲ ହାସନଙ୍କୁ ମୋହରା ବନାଇ, ଆସନ୍ତା ଇଲେକ୍ସନକୁ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଷ୍ଟାଲିନ । ଯେଉଁ କାରଣରୁ ଅତି ସହଜରେ ସେ କମଲ ହାସନଙ୍କ ପାଇଁ ରାଜ୍ୟସଭାର ବାଟ ଛାଡ଼ିଦେଇଛନ୍ତି ।