କନକ ବ୍ୟୁରୋ : ବର୍ଷର ଶେଷ ମାସ, ବୁଲାବୁଲିରେ ଭାରି ମନ। ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ଫୁରୁସତ୍ ସମୟ କାଢ଼ି ସାଙ୍ଗ ସାଥି ଓ ପରିବାର ସହ ବୁଲାବୁଲି କରିବାର ମଜା ଟିକେ ନିଆରା। ସହରର ଚାକଚକ୍ୟ, ଗାଡ଼ି ମଟର ଗର୍ଜନ ଠାରୁ ଦୂରେଇ ପ୍ରକୃତି କୋଳରେ ବଣଭୋଜି କରିବାକୁ ଭାରି ଭଲ ଲାଗେ। ଏମିତି ଖୁସି ଖୋଜୁଥିବା ପର୍ୟ୍ୟଟକ ଢେଙ୍ଗାନାଳ ଜିଲ୍ଲା ପରଜଙ୍ଗ ଦଦରାଘାଟି ଡ୍ୟାମକୁ ପସନ୍ଦ କରିଥାନ୍ତି । ଜାତୀୟ ରାଜପଥ କଡ଼ରେ ଥିବା ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। କିନ୍ତୁ ଡ୍ୟାମ ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ଅବହେଳିତ ହୋଇପଡ଼ିଛି। ବିକାଶ ଯେମିତି ଅଟକି ଯାଇଛି।
ସରକାରଙ୍କ ଦୃଷ୍ଟି ଆଢୁଆଳରେ ଏହି ପର୍ଯ୍ୟଟନ ସ୍ଥଳୀ। ୪ବର୍ଷ ତଳୁ ଆରମ୍ଭ ହୋଇଥିବା ଉନ୍ନତୀକରଣ କାମ ଏଯାଏଁ ସରିନାହିଁ । ପାର୍କ, କଟେଜ ନିର୍ମାଣ, ପାନୀୟ ଜଳ ଓ ଆଲୋକୀକରଣ କାମ ଅଧପନ୍ତରିଆ ହୋଇପଡ଼ିଛି । ନିର୍ମିତ ଭୋଜି ମଣ୍ଡପ, ଚୌକି ସବୁ ଅନାବନା ଜଙ୍ଗଲରେ ପୂର୍ଣ୍ଣ ହୋଇଗଲାଣି । ଯାହାକୁ ନେଇ ପର୍ୟ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପର୍ଯ୍ୟଟନସ୍ଥଳୀର ପାରିପାର୍ଶ୍ବିକ ବିକାଶ କରାଯାଇ ତୁରନ୍ତ ଉନ୍ନତୀକରଣ କାର୍ଯ୍ୟ ସମାପ୍ତ କରାଗଲେ ପର୍ୟ୍ୟଟନର ବିକାଶ ହେବା ସହ ଆର୍ଥିକ ଅଭିବୃଦ୍ଧି ମଧ୍ୟ ହୋଇପାରିବ।