କନକ ବ୍ୟୁରୋ : କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଏବଂ ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ଡିଜିଏମ୍ ସୁବାସ ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ବିନା ଟଙ୍କାରେ କେମିତି ଉପଜିଲ୍ଲାପାଳଙ୍କ ପାଖରୁ ଫାଇଲ ଘୁଞ୍ଚୁ ନଥିଲା ଓ ନିର୍ବାଚନରେ ବ୍ୟବହୃତ ଗାଡ଼ି ପାଇଁ ୭ ମାସ ପରେ ବି ଭଡ଼ା ଟଙ୍କା ମିଳି ନଥିବା ଅଭିଯୋଗ ଆସିଛି । ଲାଞ୍ଚ ଟଙ୍କାରେ ଲକଜ୍ୟୁରୀ ଲାଇଫ୍ ଜିଇଁଥିବା ଦୁଇ କୁବେର ଅଫିସରଙ୍କ ରାତି ଏବେ ଝାରପଡ଼ା ଜେଲରେ କଟିବ ।
ବନ୍ଧା ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ । ଆୟଠାରୁ ୧୩୦ ପ୍ରତିଶତ ଅଧିକ ସମ୍ପତ୍ତିର ମାଲିକ ଏହି ବାବୁ । ଦିଅଁ ଖାଇ ଖଟୁଲି ଖାଇ ଦେଇଥିବା ଏହି ଓଏସ ଅଫିସରଙ୍କ କାରନାମା ବାବଦରେ ଲୋକ ମୁହଁ ଖୋଲିଛନ୍ତି । ଲୋକଙ୍କ ଅଭିଯୋଗ, ନିର୍ବାଚନ ପାଇଁ ଉପଜିଲ୍ଲାପାଳ ବସଠାରୁ ଆରମ୍ଭ କରି ବୋଲେରୋ ପର୍ଯ୍ୟନ୍ତ ବ୍ୟବହାର କରିଥିଲେ । ସରକାର ଏନେଇ ଟଙ୍କା ବି ଦେଲେ । ହେଲେ ବାବୁ କିନ୍ତୁ ୭ ମାସ ହେଲାଣି ମାଲିକମାନଙ୍କୁ ଭଡ଼ାଟଙ୍କା ଦେଇନାହାନ୍ତି ।
ଖାଲି ସେତିକି ନୁହେଁ, ବିନା ଟଙ୍କାରେ ଫାଇଲ ଘୁଞ୍ଚାଉ ନଥିବା ଏହି ହାତଗୁଞ୍ଜା ବାବୁ ଓକିଲଙ୍କୁ ବି ଛାଡି ନାହାନ୍ତି । ଭିଜିଲାନ୍ସ ରେଡ୍ ବେଳେ ୨୧ଟି ପ୍ଲଟ, ଭୁବନେଶ୍ୱରରେ ତିନି ମହଲା ଘର, ଭଦ୍ରକରେ ଦୁଇ ମହଲା ବିଶିଷ୍ଟ ୨ଟି ଅଟ୍ଟାଳିକା ୩୭ ଲକ୍ଷର ଡିପୋଜିଟ ସହ ଆହୁରି କେତେ କଣ ଜବତ ହୋଇଛି ।
ସେପଟେ ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ବ୍ରହ୍ମପୁର ଡିଭିଜନ ଡିଜିଏମ୍ ସୁବାସ ପଣ୍ଡାଙ୍କୁ ବି ଗିରଫ କରାଯାଇଛି । ଆୟଠାରୁ ବାବୁଙ୍କ ସମ୍ପତ୍ତି ୩୦୦ ପ୍ରତିଶତ ଅଧିକ । ତାଙ୍କର ମୋଟ ୫ କୋଟି ୨୭ ଲକ୍ଷର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ଏଥିରେ ୧ କୋଟି ୮୪ ଲକ୍ଷର ଫିକ୍ସଡ ଡିପୋଜିଟ, ୯ଟି ପ୍ଲଟ୍, ୨ଟି ବହୁତଳ ପ୍ରାସାଦ, ୩ ମହଲାର ଦାମୀ କୋଠା, ଆହୁରି କେତେ କଣ ଅଛି ।
ଦୁର୍ନୀତିର ସୌଦାଗର ସାଜିଥିବା ଏହି ଦୁଇ କୁବେର ଅଫିସରଙ୍କୁ ଗିରଫ ପରେ ଏବେ ଲାଞ୍ଚୁଆ ଅଫିସରଙ୍କ ଛାତି ଧଡ଼ଧଡ୍ । ଏଠାରେ ପ୍ରଶ୍ନ ଉଠୁଛି, ଯଦି ଉପଜିଲ୍ଲାପଳଙ୍କ ପାଖରେ ଏତେ, ତାହେଲେ ଉପରିସ୍ଥ ଅଫିସରଙ୍କ ସମ୍ପତ୍ତି କେତେ । କେବେ ଧରିବ ଭିଜିଲାନ୍ସ ।