କନକ ବ୍ୟୁରୋ: ବଲାଙ୍ଗୀରର କଲ୍ୟାଣୀ ଦାସ ,ମସ୍କ୍ୟୁଲାର ବଡି ସହ ପୂରା ଅଲଗା ଅନ୍ଦାଜ । ଦେଖିବାକୁ ଭାରି ସିଧାସାଧା ଝିଅଟିଏ , କିନ୍ତୁ ମନରେ ଦୃଢ ଇଚ୍ଛାଶକ୍ତିର ଝଲକ୍ । ଆଗକୁ ଆଗକୁ ବଢିଯିବାର ପ୍ରବଳ ଇଚ୍ଛା ଆଉ ସେଥିପାଇଁ ଅବିଶ୍ରାନ୍ତ ଚେଷ୍ଟା । ଏହି ଚେଷ୍ଟା ତାଙ୍କୁ ଆଣିଦେଇଛି ଗୋଟିଏ ପରେ ଗୋଟିଏ ଟାଇଟଲ୍ ।
କଲ୍ୟାଣୀ ହୋଇଛନ୍ତି ମିସ୍ ଇଣ୍ଡିଆ । ଆପଣ ଭାବୁଥିବେ, ଏହା କିପରି ? ଆଜ୍ଞା ଇଏ ସେ ମିସ୍ ଇଣ୍ଡିଆ ନୁହେଁ ଯେଉଁଥିରେ ଟ୍ୟାଲେଣ୍ଟ ସାଙ୍ଗକୁ ଗ୍ଲାମର, ରାମ୍ପ ୱାକ୍ ସବୁ ଚାଲେ । ଇଏ ବଡି ବିଲ୍ଡିଂର କମାଲ । ହଁ ଦର୍ଶକବନ୍ଧୁ ! ବଡି ବଲ୍ଡିଙ୍ଗ କମ୍ପିଟିସନରେ କଲ୍ୟାଣୀ ଜିତିଛନ୍ତି ମିସ୍ ଇଣ୍ଡିଆ ଟାଇଟଲ୍ ।
ଏ ବୟସରେ ଝିଅମାନେ ସାଧାରଣତଃ ସଜେଇ ହେବାକୁ ଭଲପାଆନ୍ତି । ହେଲେ କଲ୍ୟାଣୀ ଅନ୍ୟ ଝିଅଙ୍କଠାରୁ ଟିକେ ଅଲଗା । ପିଲାବେଳୁ ତାଙ୍କର ଥିଲା କ୍ଲିଅର ଭିଜନ୍ । ବଡି ବିଲ୍ଡିଂ କରିବେ, ଫିଟ୍ ରହିବେ । ତାଙ୍କର ପ୍ରବଳ ଇଚ୍ଛା ତାଙ୍କୁ ବାଟ ଦେଖାଇଲା । ମିଳିଗଲା ଜଣେ ଦକ୍ଷ ଗୁରୁଙ୍କ ସନ୍ଧାନ । କୋଚ୍ ବାଳକୃଷ୍ଣ ବାଗଙ୍କ ଠିକଣା ପାଇ ପହଞ୍ଚିଥିଲେ ତାଙ୍କ ପାଖରେ । କଲ୍ୟାଣୀ ବଡି ବିଲ୍ଡିଂ କରିବାର ଇଚ୍ଛାକୁ ଶୁଣି ଭାରି ଖୁସି ହେବା ସହ ଟ୍ରେନିଂ ଆରମ୍ଭ କରିଦେଇଥିଲେ କୋଚ୍ । ହେଭି ଏକ୍ସରସାଇଜ୍ ସହ ଡାଏଟ୍, ଲାଇଫଷ୍ଟାଇଲ ସବୁ ଉପରେ ଟିପ୍ସ ଦେଇଥିଲେ । କଲ୍ୟାଣୀ ମଧ୍ୟ ଗୁରୁଙ୍କ ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । ତାଙ୍କର ଏହି ନିଷ୍ଠା ଆଜି ତାଙ୍କୁ ରାଜ୍ୟ ଆଉ ପରେ ଜାତୀୟ ସ୍ତରରେ ଖ୍ୟାତି ଦେଇଛି । କଲ୍ୟାଣୀ ହାତେଇଛନ୍ତି ମିସ୍ ଇଣ୍ଡିଆ ଟାଇଟଲ୍ ।
ଜଣେ କୋଚ୍ ହିସାବରେ ବାଳକୃଷ୍ଣ ସାର ତାଙ୍କର ବେଷ୍ଟ ଦେଇଛନ୍ତି । ସେଥିପାଇଁ ତ ୨୦୨୧ରୁ ୨୫ ମାତ୍ର ସାଢେ ୩ ବର୍ଷ ଭିତରେ କଲ୍ୟାଣୀ ଚଢି ଚାଲିଛନ୍ତି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ । ଆଗକୁ ଅନ୍ତର୍ଜାତୀୟ ସ୍ତରରେ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ସ୍ଥିର କରିଛନ୍ତି କଲ୍ୟାଣୀ । ଏଥିପାଇଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।