କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଆଥଲେଟିକ ଟ୍ରାକରେ ଗାଡ଼ି ବୁଲିବା ନେଇ ପୂର୍ବତନ କ୍ରିଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପୋଷ୍ଟ ପରେ ଏବେ ରାଜନୀତି ଜୋର୍ ଧରିଛି । ପୂର୍ବତନ ମନ୍ତ୍ରୀ ଏହାକୁ କଟାକ୍ଷ କରି ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଜରୁରୀ ପରିସ୍ଥିତି ଓ ଅସ୍ବାଭାବିକ ପରିସ୍ଥିତି ପାଇଁ ଟ୍ରାକ ଉପରେ ଗାଡ଼ି ଚାଲିଥିବା ନେଇ ସଫେଇ ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । 

Advertisment

ଆଥଲେଟିକ ଟ୍ରାକରେ ଗାଡ଼ି ବୁଲିବା ନେଇ ନିଜ ସୋସିଆଲ ମିଡିଆ X ରେ ପୋଷ୍ଟ କରିଛନ୍ତି ବିଜୁ ଜନତା ଦଳର ବିଧାୟକ ତଥା ପୂର୍ବତନ କ୍ରିଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା । ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ନବୀନଙ୍କ ସମୟରେ ଯେଉଁ ଟ୍ରାକ ଆନ୍ତର୍ଜାତୀୟ ଖେଳାଳିଙ୍କ ପାଇଁ ଥିଲା ସେହି ଟ୍ରାକରେ ସରକାରୀ ଦଳର ନେତା ମନ୍ତ୍ରୀଙ୍କ ଗାଡ଼ି ଗଡୁଛି କହି କଟାକ୍ଷ କରିଛନ୍ତି । କହିଛନ୍ତି, ଏହି ଦୃଶ୍ୟ ଦାୟିତ୍ବରେ ଥିବା ଅଧିକାରୀ ଓ ନେତାଙ୍କ ଖାମଖିଆଲି ମନୋଭାବକକୁ ଦର୍ଶାଉଛି । ଯାହାକି ଉଭୟ ଖେଳାଳି ଓ ଖେଳ ପ୍ରଶଂସକଙ୍କୁ ବେଶ୍ ଆଘାତ ଦେଇଛି । 

ତୁଷାରକାନ୍ତିଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । କହିଛନ୍ତି, କିଛି ଜରୁରୀ ପରିସ୍ଥିତି ଓ ଅସ୍ବାଭାବିକ ପରିସ୍ଥିତି ଥିଲା ସେଥି ପାଇଁ ଟ୍ରାକରେ ଗାଡ଼ି ଛିଡ଼ା ହେଇଥିଲା । ଖେଳାଳୀ ଓ କର୍ମଚାରୀଙ୍କ ଗୋପନୀୟତା ଦୃଷ୍ଟିରୁ ଏହାକୁ କୁହାଯିବ ନାହିଁ । ପୁର୍ବତନ କ୍ରୀଡ଼ା ମନ୍ତ୍ରୀ ତାଙ୍କର ଦାୟିତ୍ବ ଅପସାରଣ ପରେ ଟିକେ ଅଧିକ୍ ସକ୍ରିୟ ହେଇଥିବା ଜଣା ପଡୁଛି। ସେଥିପାଇଁ ତାଙ୍କୁ ଧନ୍ୟବାଦ । ସୂର୍ଯ୍ୟବଂଶୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ତୁଷାରକାନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଏମିତି କଣ ଗୁରୁତ୍ୱପୂର୍ଣ୍ଣ କାମ ଥିଲା ଯେ ଟ୍ରାକ ଉପରକୁ ଗାଡି ନେଇକି ଯିବାକୁ ପଡ଼ିଲା । କୋଟି କୋଟି ଟଙ୍କା ବ୍ୟୟରେ ସିନଥେଟିକ ଟ୍ରାକ ପ୍ରସ୍ତୁତ ହେଇଛି । ତାହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ । ଯଦି ଟ୍ରାକ ନଷ୍ଟ ହେଇଥାଏ ସେଥିପାଇଁ ଦାୟୀ କିଏ ହେବ?