କନକ ବ୍ୟୁରୋ : କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁଁ ବନ୍ଦ ରହିଛି ଗଞ୍ଜାମ-ବିଜୟାୱାଡା-ରାଞ୍ଚି ୧୫୭ ନମ୍ବର ରାଜପଥ ।  ଗାଡି ଚଳାଚଳ ଠପ୍ ହୋଇଥିବା ବେଳେ ମରାମତି କାମ ଆରମ୍ଭ ହୋଇଛି । ପାଗ ଅନୁକୂଳ ରହିଲେ ୧୦ ଦିନ ମଧ୍ୟରେ ଗାଡି ଚଳାଚଳ ସ୍ବାଭାବିକ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ଅଧିକ୍ଷଣ ଯନ୍ତ୍ରୀ । ମଙ୍ଗଳବାର କନ୍ଧମାଳ କଳିଙ୍ଗା ଘାଟିରେ ଭୂସ୍ଖଳନ ହେବା ଫଳରେ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି । ରାସ୍ତାରୁ ମାଟି ଓ ପଥର ହଟାଇବାପାଇଁ କାମ ଆରମ୍ଭ ହୋଇଛି । ସମ୍ବଲପୁରରୁ ଜାତୀୟ ରାଜପଥ ବିଭାଗର ଅଧିକାରୀ ମାନେ ଆସି ଡ୍ରୋନ ସର୍ଭେ କରିବା ପରେ ବିଶେଷଜ୍ଞ ସହ ଆଲୋଚନା କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ଭୁସ୍ଖଳନ ଯୋଗୁଁ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଯାନବାହନ ଚଳାଚଳ ବନ୍ଦ ରହିଛି । କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗଗପୁରକୁ ଯାତାୟତ ପାଇଁ ଯାନବାହାନ ଅନ୍ୟ ଏକ ରାସ୍ତା ଦେଇ ଯିବାଆସିବା କରୁଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ପ୍ରଶାସନ ପକ୍ଷରୁ ନୋ ଏଣ୍ଟ୍ରି ବୋର୍ଡ ଲଗାଯାଇଛି । ଯାତାୟତ ପାଇଁ ବାରଣ କରାଯାଇଛି।