Photograph: (Kanak News)
କନକ ବ୍ୟୁରୋ : ସେପ୍ଟେମ୍ବର ୧୬ ତାରିଖ ଅପରାହ୍ଣ ୩ଟା ୪୫ । ସବୁଜିମା ପରିବେଶ ଭରା କଳିଙ୍ଗା ଘାଟିରେ ପ୍ରକୃତିର ତାଣ୍ଡବ ଓ ଭୟଙ୍କର ଭୂସ୍ଖଳନ ସମସ୍ତଙ୍କୁ ସ୍ତବ୍ଧ କରିପକାଇଥିଲା । ଘଟଣାର ମୂକସାକ୍ଷୀ ପାଲଟିଥିବା ଅନେକ ଯାତ୍ରୀ ଓ ଯାନବାହନ ଚାଳକମାନଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ଜାଣନ୍ତୁ କଳିଙ୍ଗା ଘାଟି ଭୂସ୍ଖଳନର କାରଣ କ’ଣ ?
ହିମାଚଳପ୍ରଦେଶ ଓ ଉତ୍ତରଖଣ୍ଡରେ ବାଦଲଫଟା ବର୍ଷାକୁ ମୋବାଇଲ୍ ଏବଂ ଟିଭିରେ ଦେଖୁଥିବା ଓଡିଶାବାସୀ, କଳିଙ୍ଗାଘାଟିର ଛାତି ଥରା ଦୃଶ୍ୟ ଦେଖି ଚକିତ ହୋଇଛନ୍ତି । ଶାନ୍ତ ଓ ଶୀତଳ ପରିବେଶ ଭରା ଏହି ପାହାଡ଼ ଉପରୁ ଏତେ ବଡ଼ଧରଣର ବିପଦ କେମିତି ମାଡ଼ି ଆସିଲା ତାହା ଆଲୋଚନାର ପ୍ରସଙ୍ଗ ପାଲିଟିଛି । ଆଉ ସ୍ଥାନୀୟ ଲୋକ ଯାହା କହିଛନ୍ତି ତାହା ଚିନ୍ତାଜନକ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାହାଡ଼କୁ କାଟି ରାସ୍ତାକୁ ଓସାରିଆ କରାଯାଉଛି । ପାହାଡ଼କୁ କଟାଯିବା ଫଳରେ ଦୁର୍ବଳ ହେଉଛି ମୂଳ । ଲଗାଣ ବର୍ଷା ପରେ ଭୂସ୍ଖଳନ ହୋଇ ତାଣ୍ଡବ ରଚିଛି ।
ଜଙ୍ଗଲିଆ ଅଂଚଳ ହୋଇଥିବାରୁ ବେଧଡ଼କ ଭାବେ ପାହାଡରୁ ପଥର ଚୋରି ଚାଲିଛି । ଡିନାମାଇଟ୍ ଲଗାଇ ବ୍ଲାଷ୍ଟିଂ କରାଯାଉଛି । ବଡ଼ ବଡ଼ ଗଛକୁ ବି କାଟି ଦିଆଯାଉଛି । ଯାହାଫଳରେ ପରିବେଶ ସନ୍ତୁଳନ ପ୍ରଭାବିତ ହୋଇଛି । ଏସବୁର ପ୍ରଭାବରେ କଳିଙ୍ଗା ଘାଟି ଅଂଚଳରେ ଏଭଳି ଘଟଣା ଘଟିଲା ବୋଲି କହିଛନ୍ତି ପରିବେଶବିତ୍ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଜାରି ରହିଛି ସଫେଇ କାର୍ଯ୍ୟ । କଳିଙ୍ଗା ଘାଟି ରାସ୍ତାକୁ ଓସାରିଆ କରିବା ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଯେଉଁଠି ଭୂସ୍ଖଳନ ହୋଇଛି ସେଠାରେ ଗତବର୍ଷ ପାହାଡ଼ କାଟି ନିର୍ମାଣ କାର୍ଯ୍ୟ ହୋଇଥିଲା ।
Follow Us