କନକ ବ୍ୟୁରୋ: ପୁଣି ଧସିଲା କଳିଙ୍ଗା ଘାଟି । ଏଥର ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୂରା ବନ୍ଦ ହୋଇ ପଡିଛି । କଳିଙ୍ଗାଘାଟି ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ବିଜୟୱାଡା ଓ ରାଞ୍ଚି କରିଡର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଏହି ଘାଟି ରାସ୍ତା ଏବେ ପୂରା ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଫଳରେ ଉଭୟ ପଟୁ ଶହଶହ ଗାଡ଼ି ମୋଟର ସବୁ ଅଟକି ରହିଛି । ଓଡ଼ିଶାର ଏହି ବଡ଼ ଘାଟିର ଉଭୟ ପାର୍ଶ୍ଵରେ ପଥର ପ୍ୟାକିଂ କାମ କରିବା ଦାୟିତ୍ଵ ଦିଲ୍ଲୀର ଏକ ସଂସ୍ଥା ନେଇଥିଲା । କିନ୍ତୁ ଅତ୍ୟନ୍ତ ତରବରିଆ ଭାବେ କାମ କରୁଥିବା ବେଳେ ଦୁଇ ମାସ ତଳେ ବି ଏଠାରେ ପଥର ଧସିଥିଲା । ଏପରିକି ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ ବି ଘଟଣା ସ୍ଥଳକୁ ଯାଇ ସେମାନଙ୍କୁ ଭଲ କାମ କରିବା ପାଇଁ ତାଗିଦ କରିଥିଲେ । କିନ୍ତୁ ସ୍ଥିତିରେ କିଛି ପରିବର୍ତ୍ତନ ହୋଇନି । ଏବେ ଠିକ୍ ଦୁଇ ମାସ ପରେ ପୁଣି ବଡ଼ ଧରଣର ଭୂସ୍ଖଳନ ଘଟି ପୂରା ଘାଟି ରାସ୍ତାକୁ ଠପ୍ କରି ଦେଇଛି ।