କନକ ବ୍ୟୁରୋ: ପୁଣି ଧସିଲା କଳିଙ୍ଗା ଘାଟି । ଏଥର ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୁରା ବନ୍ଦ ହୋଇ ପଡିଛି । କଳିଙ୍ଗାଘାଟି ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଛି ।  ବିଜୟୱାଡା ଓ ରାଞ୍ଚି କରିଡ଼ର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଥିବା ଏହି ଘାଟି ରାସ୍ତା ଏବେ ପୁରା ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଏଭଳି ଅବସ୍ଥା ଦେଖାଦେଇଛି । ଫଳରେ ଉଭୟ ପଟୁ ଗାଡ଼ି ମୋଟର ସବୁ ଅଟକି ରହିଛି ।  ଓଡ଼ିଶାର ଏହି ବଡ଼ ଘାଟି ର ଉଭୟ ପାର୍ଶ୍ଵରେ ପଥର ପ୍ୟାକିଂ କାମ କରିବା ଦାୟିତ୍ଵ ଦିଲ୍ଲୀର ଏକ ସଂସ୍ଥା ନେଇଥିଲା । କିନ୍ତୁ ଅତ୍ୟନ୍ତ ତରବରିଆ ଭାବେ କାମ କରୁଥିବା ବେଳେ ଦୁଇ ମାସ ତଳେ ବି ଏଠାରେ ପଥର ଧସିଥିଲା । ଏପରିକି ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ ବି ଘଟଣା ସ୍ଥଳ କୁ ଯାଇ ସେମାନଙ୍କୁ ଭଲ କାମ କରିବା ପାଇଁ ତାଗିଦ୍ କରିଥିଲେ । କିନ୍ତୁ ଅବସ୍ଥା ରେ କିଛି ପରିବର୍ତ୍ତନ ହୋଇନି । ଏବେ ଠିକ୍ ଦୁଇ ମାସ ପରେ ବଡ଼ ଧରଣର ଭୂସ୍ଖଳନ ପୁରା ଘାଟି ରାସ୍ତାକୁ ଠପ୍ କରି ଦେଇଛି ।