କନକ ବ୍ୟୁରୋ :  ୭୮ ବର୍ଷିଆ ବୃଦ୍ଧା କୁମୁଦିନୀ ହାଲଦାର । ଘର କାଲିମେଳା ବ୍ଳକ ଅନ୍ତର୍ଗତ ଏମପିଭି-୩୩ ଗାଁରେ । ଦୀର୍ଘ ୪ ବର୍ଷ ହେଲା ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଥିବାବେଳେ ଏବେ ମରଣ ସହ ସଂଘର୍ଷ କରୁଛନ୍ତି  । ସେ ପ୍ରଥମେ କାଲିମେଳା ଓ ପରେ ଆନ୍ଧ୍ରପ୍ରଦେଶରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଅର୍ଥ ଅଭାବରୁ ହୋଇପାରୁନି ଉନ୍ନତ ଚିକିତ୍ସା । ସେହିପରି ଗାଁର ଆଉଜଣେ ବ୍ୟକ୍ତି ଆଶୁତୋଷ ରାୟ କିଡ଼ନୀ ରୋଗରେ ଆକ୍ରାନ୍ତ ଅଛନ୍ତି । ତାଙ୍କର ଦୁଇଟି ଯାକ କିଡ଼ିନୀ ଦୁଇବର୍ଷ ହେଲା ଖରାପ ହୋଇଯାଇଛି । ଆଗଭଳି ଆଉ କାମ ଧନ୍ଦା କରିପାରୁନାହାନ୍ତି । କାମ ନକଲେ ପରିବାର କିପରି ଚଳିବ ବୋଲି କହିଛନ୍ତି ଆଶୁତୋଷ । 

Advertisment

ଗାଁରେ ଏକ ହଜାର ଲୋକ ବସବାସ କରୁଥିବାବେଳେ ସେମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ । ଗାଁରେ ଥିବା ୯ ଟି ନଳକୂଅ ମଧ୍ୟରୁ ୫ଟି ଖରାପ । ଆଉ ୪ଟି ନଳକୂଅରୁ ବାହାରୁଛି ଆଇରନ ମିଶା ପାଣି । ଗାଁ ମଝିରେ ୧୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ବସିଛି ତାହା ମଧ୍ୟ ଅଚଳ । ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଗଲାଣି । ଫଳରେ ଲୋକମାନେ ଦୁଷିତ ପାଣି ପିଇ କିଡ଼ିନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ମାସକରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହେଲାଣି । ବର୍ତ୍ତମାନ ସୁଧା ଗାଁ ୨୦ରୁ ଅଧିକ ଆକ୍ରାନ୍ତ ଅଛନ୍ତି । ଘରେ ଘରେ କିଡନୀ ରୋଗୀ ମରଣ ସହ ଲଢ଼େଇ କରୁଛନ୍ତି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗୁହାରି କରିଛନ୍ତି ଗ୍ରାମବାସୀ । 

ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗାଁକୁ ସ୍ୱାସ୍ଥ୍ୟ ବିଭାଗ ଆସି ପାଣି ନମୁନା ସଂଗ୍ରହ କରିବା ସହିତ ଲୋକଙ୍କୁ ପଚରା ଉଚରା କରି ଫେରିଯାଇଛି । ହେଲେ ସମାସ୍ୟାର ସମାଧାନ ହୋଇନାହିଁ । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗାଁରେ  ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।