କନକ ବ୍ୟୁରୋ : ପବନ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଯୋଗୁଁ କଟିଗଲା ବିଜୁଳି । ଚାରିଆଡ଼େ ଅନ୍ଧାର ହୋଇଯିବାରୁ ପାଠ ପଢ଼ିବା ପାଇଁ ପଡ଼ୋଶୀ ଘରେ ଲାଗିଥିବା ଇନଭର୍ଟର ଆଲୁଅ ପାଖକୁ ଚାଲିଯାଇଥିଲେ ଦୁଇପିଲା । ତାଙ୍କ ପାଖରେ ବସିଥିଲେ ବାପା-ମାଆ । ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେଲା । କେହି କିଛି ବୁଝିବା ଆଗରୁ ଆଜବେଷ୍ଟସ ଘର ଭିତରେ ନିଆଁ ଲାଗି ସାରିଥିଲା। ଘର ଜଳୁଥିବା ଦେଖି ବି ଭିତରକୁ ଯିବାକୁ କେହି ସାହାସ ଜୁଟାଇପାରିନଥିଲେ। ପରେ ନିଆଁକୁ ଆୟତ କରାଗଲା । ହେଲେ ସେତେବେଳକୁ ସବୁ ସରିଯାଇଥିଲା । 

Advertisment

ଜୟପୁର ସହରର ଗଡ଼ିବା ଧୋବା ସାହିରେ ରୁହନ୍ତି ପ୍ରଶାନ୍ତ ଜେନାଙ୍କ ପରିବାର । ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷନ୍ତି ପ୍ରଶାନ୍ତ । ପ୍ରତିଦିନ ପେଟରୁ କାଟି କିଛିକିଛି ଟଙ୍କା ସଞ୍ଚୟ କରନ୍ତି । ପୁଅ-ଝିଅଙ୍କ ପାଠପଢ଼ା ପାଇଁ ୫୦ ହଜାର ଟଙ୍କା ଏକ କୁମ୍ପିରେ ରଖିଥିଲେ । ପିଲାମାନେ ପାରିଗଲେ ଦୁଃଖ ସରିଯିବ ବୋଲି କେତେ ସ୍ୱପ୍ନ ଦେଖିଥିଲେ ପ୍ରଶାନ୍ତ ଓ ତାଙ୍କ ସ୍ତ୍ରୀ । ହେଲେ ଗୁରୁବାର ସନ୍ଧ୍ୟାର କାଳବୈଶାଖୀ ତାଙ୍କ ପାଇଁ କାଳ ହୋଇଗଲା । ଘରେ ଥିବା ଟଙ୍କା ପଇସା, ଖାଦ୍ୟ ପଦାର୍ଥ, ବାସନକୁସନ, ଲୁଗାପଟା ସବୁ ପୋଡ଼ି ଯାଇଛି ।
 
ଛୋଟିଆ ଘର ଭିତରେ ଭର୍ତ୍ତି ହୋଇରହିଥିଲା ଅସରନ୍ତି ଆଶା, ଅନେକ ସାଇତା ସ୍ମୃତି । ବଜ୍ରପାତରେ ସେ ସବୁ ଅଙ୍ଗାର ହୋଇଯିବା ପରେ ପିଲାଙ୍କ ନାମ ଲେଖାକୁ ନେଇ ଚିନ୍ତାରେ ପରିବାର ।