କନକ ବ୍ୟୁରୋ: ଅର୍ଥାଭାବ ଓ ପରିବାରର ଦୁଃସ୍ଥିତି ଯୋଗୁଁ ଦାଦନ ଖଟିବାକୁ ବାଧ୍ୟ ହେଲେ ଜଣେ ମେଧାବୀ ଛାତ୍ର । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରୁ ଆସିଲା ଏଭଳି ଅଭାବନୀୟ ଘଟଣା । ବ୍ଲକ୍‌ ଟପ୍ପର ଛାତ୍ର କଲେଜରେ ପାଠ ପଢ଼ିବାକୁ କେରଳରେ ଦାଦନ ଖଟୁଛନ୍ତି । ଏହି ଖବର ଜାଣିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଲେ ଛାତ୍ରଙ୍କୁ କେରଳରୁ ଫେରାଇ ଅଣାଯିବ । ଏହା ସହିତ ତାଙ୍କ ପାଠପଢ଼ା ପାଇଁ  ସମସ୍ତ ପ୍ରକାର ସହୟତା କରାଯିବ । 

Advertisment

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ରେ ଏଥର ମାଟ୍ରିକ ଟପ୍ପର ହୋଇଥିଲେ ବନ୍ଧପାରୀ ପଞ୍ଚାୟତ ଟିମନବାଡ଼ି ଗାଁର ସୂରଜ ନାଗ । ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲ୍‌ର ଛାତ୍ର ହେଉଛନ୍ତି ସୂରଜ । ସ୍ୱପ୍ନ ଥିଲା ମାଟ୍ରିକ ପରେ କଲେଜ ଯିବେ ନିଜ ଭବିଷ୍ୟତ ଗଢ଼ିବେ । କିନ୍ତୁ ଏହି ସ୍ୱପ୍ନ ରାସ୍ତାରେ ବାଧକ ସାଜିଥିଲା ଆର୍ଥିକ ଅନଟନ । ଶେଷରେ ନିଜ ଭବିଷ୍ୟତ ନିଜେ ଗଢ଼ିବାକୁ କେରଳ ଗଲେ ଦାଦନ ଖଟିବାକୁ । ପରିବାରର ଆର୍ଥିକ ସ୍ଥିତି ତାଙ୍କୁ ଦାଦନ ହେବାକୁ ବାଧ୍ୟ କରିଛି । ଏବେ ସେ କେରଳର ଆଲୁଭା ଜିଲ୍ଲାରେ ଏକ କ୍ରସରରେ ଶ୍ରମିକ ଭାବରେ ଖଟୁଛନ୍ତି । 

ମାଟ୍ରିକ ପରୀକ୍ଷାରେ ୬୦୦ରୁ ୪୯୮ ମାର୍କ ରଖିଥିଲେ ସୂରଜ । ପୁଅ ପରୀକ୍ଷାର ଭଲ ନମ୍ବର ରଖିଥିବାରୁ ପରିବାର ଲୋକଙ୍କ ଖୁସି କହିଲେ ନସରେ ।  ଗାଁ ଲୋକ, ପରିବାର ଓ ସ୍କୁଲ୍‌ କର୍ତ୍ତୃପକ୍ଷ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ । ସୂରଜଙ୍କ ସହ ଆଉ ଦୁଇଜଣ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷାରେ ଭଲ ମାର୍କ ରଖିଥିଲେ । ଏଣୁ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପାଇଁ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । କିନ୍ତୁ ଏହି ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ପାରିନଥିଲେ ସୂରଜ ନାଗ । କାରଣ ୩ ମାସ ହେଲା ସେ କେରଳରେ ଦାଦନ ଖଟୁଛନ୍ତି । ଆର୍ଥିକ ଅନଟନ ତାଙ୍କୁ ଦାଦନ ସଜାଇ ଦେଇଛି । ଏବେ ସେ ଦିନ ମଜୁରିଆ ଭାବରେ ଖଟୁଛନ୍ତି । ଟଙ୍କା ସଞ୍ଚୟ କରିବା ପରେ ଆସି କଲେଜରେ ପଢ଼ିବେ । 

ଏହାକୁ ନେଇ କନକ ନ୍ୟୁଜ୍‌ ଡିବେଟ୍‌ରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଜିଲ୍ଲାପାଳଙ୍କ ସହିତ ନିୟମିତ ଯୋଗଯୋଗରେ ଅଛୁ । ଜିଲ୍ଲାପାଳ ଛାତ୍ରଙ୍କ ପରିବାର ସହିତ କଥାବାର୍ତ୍ତା ହୋଇଛନ୍ତି । ତାଙ୍କୁ ଫେରାଇ ଆଣାଯିବ । ସେ ଯେଉଁଠି ପଢ଼ିବାକୁ ଚାହିବେ ସେଠାରେ ସେ ନାମ ଲେଖାଇବେ । ତାଙ୍କ ପଢ଼ା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ । ଏଥିପାଇଁ ସବୁ ବ୍ୟବସ୍ଥା ସରିଛି । ସରକାରଙ୍କ ଜନକଲ୍ୟାଣ ଯୋଜନା ମାଧ୍ୟମରେ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ।"