କନକ ବ୍ୟୁରୋ : ଘୁମୁରା ମାଟିର ସ୍ପନ୍ଦନ ଏବେ ଇନ୍ଦ୍ରାବତୀର ନୀଳ ଜଳରାଶିରେ ପ୍ରତିଫଳିତ । କଳାହାଣ୍ଡି ଉତ୍ସବ 'ଘୁମୁରା-୨୦୨୬'ର ପରିପ୍ରେକ୍ଷୀରେ ଇନ୍ଦ୍ରାବତୀରେ ଆୟୋଜିତ ହୋଇଥିଲା ନୌକା ଓ ତୀରଚାଳନା ପ୍ରତିଯୋଗିତା । ଏହି ଉତ୍ସବ ହିଁ ପ୍ରମାଣ ଯେ, ଭୌଗୋଳିକ ପ୍ରତିବନ୍ଧକ ବିକାଶ ଓ ମନୋରଞ୍ଜନ ଆଗରେ କେବେ ବି ପ୍ରାଚୀର ସାଜିପାରିବ ନାହିଁ । ଇନ୍ଦ୍ରାବତୀ ଜଳଭଣ୍ଡାର । କେତେବେଳେ ପ୍ରତିବନ୍ଧକ ତ’ କେତେବେଳେ ଜୀବନରେଖା । ଆଜି ଏହା ସାଜିଛି ପ୍ରତିଯୋଗିତାର ମୈଦାନ । କଳାହାଣ୍ଡି ଉତ୍ସବ 'ଘୁମୁରା-୨୦୨୬' ଅବସରରେ ଥୂଆମୂଳରାମପୁରର ସାନଛତ୍ରଙ୍ଗ ପାଲଟିଥିଲା ଏକ ବିଶାଳ ରଣକ୍ଷେତ୍ର । ଗୋଟିଏ ପଟେ ଇନ୍ଦ୍ରାବତୀର ଲହଡ଼ି ସହ ଲଢ଼ୁଥିଲେ ନୌଚାଳକ, ଅନ୍ୟପଟେ ଶାଣିତ ଲକ୍ଷ୍ୟଭେଦ କରୁଥିଲେ ଆଦିବାସୀ ଧନୁର୍ଦ୍ଧର । ପାଣିର ପ୍ରଖର ସ୍ରୋତକୁ ଚିରି ଆଗକୁ ବଢ଼ିବା ପାଇଁ ସର୍ବଶକ୍ତି ଲଗାଇ ଦେଇଥିଲେ ପ୍ରତିଯୋଗୀ। ଏହି ରୋମାଞ୍ଚକର ଲଢ଼େଇରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ତ୍ରିନାଥ ମାଝୀ ଓ ଇନ୍ଦ୍ର ମାଝୀ । ତୀରଚାଳନାରେ କୁମୁଡ଼ାସିଲ ଗାଁର ରାଇମଲ ମାଝୀ ନିଜ ଶାଣିତ ତୀରରେ ଲକ୍ଷ୍ୟଭେଦ କରି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ ।
ଅଧିକ ପଢ଼ନ୍ତୁ : ହୀରାକୁଦ ନଦୀବନ୍ଧ ପାଇଁ କୋଟି କୋଟିର ପ୍ୟାକେଜ, କଳାହାଣ୍ଡିର ଇନ୍ଦ୍ରାବତୀ ପ୍ରକଳ୍ପ ଆଡ଼କୁ ନଜର ନାହିଁ
ବର୍ଷ ତମାମ ନିଜ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ବୁଡ଼ି ଅଞ୍ଚଳବାସୀଙ୍କ ମୁହଁରେ ହସ ଫୁଟାଇଛି ଘୁମୁରା ଉତ୍ସବ। ଜିଲ୍ଲା ପ୍ରଶାସନର ଏହି ପ୍ରୟାସ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ହଜିଯାଉଥିବା ଆଦିବାସୀ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଏକ ମାଧ୍ୟମ । ଏଥି ସହ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାହୋଲକୁ ଆହୁରି ମନୋରମ କରିଥିଲା ।
ହଜାରେ ବାଧାବିଘ୍ନ ପରେ ବି ଯେଉଁଠି ପରମ୍ପରା ଜିତିଯାଏ, ସେଇଠି ସୃଷ୍ଟି ହୁଏ କଳାହାଣ୍ଡି ଉତ୍ସବ ଭଳି ଏକ ମହାକୁମ୍ଭ। ଏହି ସଫଳ ଆୟୋଜନ ସ୍ପଷ୍ଟ କରୁଛି, ଆଗାମୀ ଦିନରେ ଇନ୍ଦ୍ରାବତୀର ଏହି କୂଳ କଳାହାଣ୍ଡି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ।
Follow Us