କନକ ବ୍ୟୁରୋ : କଳାହାଣ୍ଡିରେ ଥମୁନି ଦାଦନ ଶ୍ରମିକଙ୍କ ଯନ୍ତ୍ରଣା। ବିଶେଷ କରି ଦାଦନ ପ୍ରବଣ ଦଣ୍ଡପାଟ ଓ କୋକସରା ଅଞ୍ଚଳର ଶ୍ରମିକ ପେଟ ବିକଳରେ, ଅଧିକ ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଉଛନ୍ତି । ସେଠାରେ ନିର୍ଯାତନା କିମ୍ୱା ଦୁର୍ଘଟଣା କିମ୍ୱା ରୋଗରେ ପଡ଼ି ପ୍ରାଣ ହରାଇବା ଘଟଣା ଖବରର ଶିରୋନାମା ପାଲଟୁଛି । ଏବେ ପୁଣି ଜଣେ ଶ୍ରମିକଙ୍କ ମୃତଦେହ ଫେରି ଗାଁ ମାଟିକୁ ଲୁହରେ ଭିଜାଇବା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି

Advertisment

କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ। ବାହୁନି ବାହୁନି କାନ୍ଦି ଭୂଇଁରେ ଲୋଟିଯାଉଛନ୍ତି ସ୍ତ୍ରୀ ଓ ଜ୍ଞାତିପରଜନ । ଯାହାଙ୍କ ଫେରିବା ବାଟକୁ ପରିବାର ଖୁସିରେ ଚାହିଁରହିଥିଲେ। ସେ ଶବ ହୋଇ ଫେରିଛି। କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଡୁଡ଼ୁକାଠେଙ୍ଗା ନିକଟ ନୂଆପଡ଼ା ଗାଁର ଯୋଗୀ ଧଙ୍ଗଡାମାଝୀଙ୍କ ବାଙ୍ଗାଲୋରରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ପରିବାରର ଦୁଃଖ ଦୂର କରିବାକୁ ଦାଦନ ଯାଇଥିଲେ, ଏବେ ପରିବାର ଉପରେ ଦୁଃଖର ପାହାଡ ଲଦି ଦେଇ ଆରପାରିକୁ ଚାଲିଯାଇଛନ୍ତି ଯୋଗୀ

ତିନି ମାସ ତଳେ ରୋଜଗାର ଆଶାରେ ବାପା-ପୁଅ ଦୁହେଁ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ହୃଦଘାତରେ ବାପାଙ୍କ ଦେହାନ୍ତ ପରେ ଆମ୍ବୁଲାନ୍ସରେ ଗାଁକୁ ମରଶରୀର ଆଣିଛି ପୁଅ। ଯୋଗୀଙ୍କ ଭଳି ଅନେକ ଶ୍ରମିକ ରାଜ୍ୟ ବାହାରେ ପ୍ରାଣ ହରାଉଛନ୍ତି। କୋକସରା ବ୍ଲକରେ ବାରମ୍ୱାର ଦାଦନ ଶ୍ରମିକଙ୍କ ମୃତଦେହ ଫେରୁଥିବାରୁ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି

କୋକସରାରେ ଗତ ୩ ମାସରେ ୬ଜଣ ଦାଦନ ଶ୍ରମିକଙ୍କ ଶବ ଫେରିଛିଜିଲ୍ଲା ଶ୍ରମ ବିଭାଗ ଏହାକୁ ଗୁରୁତ୍ୱ ଦେଇ ଦାଦନ ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।