କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଭଅଁରମାଲ ଗାଁରେ ଯୌତୁକ ପାଇଁ ହତ୍ୟା ଅଭିଯୋଗ । ଗାଁର ୨୩ ବର୍ଷୀୟ ଖିରବତି ସାହୁଙ୍କ ମୃତ୍ୟୁ ପରେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଏନେଇ କେସିଙ୍ଗା ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ। ସୂଚନା ଅନୁଯାୟୀ, ମଦନପୁର ରାମପୁର ଥାନା ବାଞ୍ଜିପଡ଼ର ଗାଁର ୨୩ ବର୍ଷୀୟ ଖିରବତି ସାହୁ ୨୦୨୩ ମସିହା ମାର୍ଚ୍ଚ ମାସରେ କେସିଙ୍ଗା ଥାନା ଭଅଁରମାଲର ଜଗନ୍ନାଥ ସାହୁଙ୍କୁ ବିବାହ କରିଥିଲେ ଓ ତାଙ୍କର ୧ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ଅଛି ।
ପରିବାର ଲୋକ ଥାନାରେ କରିଥିବା ଅଭିଯୋଗ ଅନୁଯାୟାୀ, ଗତ ବୁଧବାର ରାତି ପ୍ରାୟ ୧୧ଟା୩୦ରେ ପୁଅର ବାପା ଝିଅ ପରିବାର ଲୋକଙ୍କୁ ଫୋନ୍ କରି ଝିଅ ବିଷ ପିଇ ଦେଇଥିବା କହିବା ସହ ମେଡିକାଲ ଆସିବାକୁ କହିଥିଲେ। ଘର ଲୋକ ପହଂଚିବା ପରେ ଶ୍ବଶୁର ଘର ଲୋକ ଗଳା ଚିପି ବିଷ ପିଆଇ ଦେଇଥିବା କହିଥିଲେ ଝିଅ । ପ୍ରାଥମିକ ଚିକିତ୍ସା ପରେ କେସିଙ୍ଗା ମେଡିକାଲରୁ ସମ୍ପୃକ୍ତ ମହିଳାଙ୍କୁ ଭବାନୀପାଟଣା ମେଡିକାଲକୁ ରେଫର୍ କରାଯାଇଥିଲା ମାତ୍ର ଭବାନୀପାଟଣା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେସିଙ୍ଗା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇ ଥିଲା ।
ହେଲେ ଝିଅଘର ପରିବାର ଜ୍ବାଇଁ ଓ ଶ୍ସବଶୁର ଘର ଲୋକଙ୍କୁ ଗିରଫ ଦାବୀରେ ଅଡ଼ି ବସିଥିଲେ । ଶହ ଶହ ଲୋକ ଭଅଁରମାଳ ଗାଁକୁ ଆସି ଶ୍ବଶୁର ଘର ଲୋକଙ୍କୁ ଗିରଫ ଦାବୀ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ଗାଁରେ ପ୍ରବଳ ଉତେଜନା ଦେଖାଦେଇଛି। ପୋଲିସ ରାତିରେ ପହଂଚି ଝିଅ ଘର ପରିବାରକୁ ବୁଝା ସୁଝା ଉଦ୍ୟମ କରିଥିବା ସତ୍ବେ ଝିଅ ଘର ଲୋକ ଶବ ରଖି ବିକ୍ଷୋଭ ଜାରୀ ରଖିଛନ୍ତି ।