କନକ ବ୍ୟୁରୋ : ଅର୍ନିଦ୍ଧିଷ୍ଟ କାଳ ପାଇଁ ଛୁଟିରେ ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥାୟୀ ଡାକ୍ତର । ତେଣୁ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଆସି କାକଟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି କରୁଥିଲେ । ପିଜି ପରୀକ୍ଷା ଆଳରେ ସେମାନେ ବି ଚାଲି ଯାଇଛନ୍ତି । ଏବେ ଫାର୍ମାସିଷ୍ଟ ଓ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା । ଅନେକ ସମୟରେ ଡାକ୍ତରଖାନାରେ ତାଲା ଝୁଲୁଥିବାରୁ ଚିକିତ୍ସା ପାଇଁ କଟକ ଭୁବନେଶ୍ବର ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀ।

Advertisment

କାକଟପୁର ବ୍ଲକ ବଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ରହିଛି କାକଟପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ଏହା ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ତେଣୁ ତୁରନ୍ତ ଡାକ୍ତର ଅଭାବ ପୂରଣ ନହେଲେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ଅନ୍ୟପଟେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଦୂର ପାଇଁ ପ୍ରକ୍ରିୟା ଚାଲିଥିବା କହିଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । 
 
କାକଟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କେବେ ସ୍ବାସ୍ଥ୍ୟ ସେବା ସୁଧିରିବ ଆଉ ରୋଗୀ ନିୟମିତ ଡାକ୍ତର ସେବା ପାଇବେ  ତାହା ସବୁଠୁ ବଡ଼ ପ୍ରଶ୍ନ।