କନକ ବ୍ୟୁରୋ: ୧୬୬ ଦିନ ପରେ ଜେଲରୁ ମୁଳୁଳିଛନ୍ତି କେ କବିତା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କବିତାଙ୍କ ଜାମିନ ଆବେଦନକୁ ଗ୍ରହଣ କରି କହିଛନ୍ତି କୋର୍ଟ କହିଛନ୍ତି ମାମଲାର ତଦନ୍ତ ଶେଷ ହୋଇଛି।  ବିଚାର ପ୍ରକ୍ରିୟା ଶିଘ୍ର ଶେଷ ହେବାର ଆଶା କରାଯାଉନାହିଁ। କବିତା ୫ ମାସ ହେଲା ଜେଲ୍‌ରେ ଅଛନ୍ତି । ଜଣେ ମହିଳା ଭାବେ ପିଏମଏଲଏର ଧାରା ୪୫ ଅନୁଯାୟୀ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ। 

ବିଚାରାଧୀନ ହାଜତ ମିଆଦକୁ ଦଣ୍ଡରେ ପରିଣତ କରାଯିବା ଉଚିତ ନୁହେଁ ବୋଲି କବିତାଙ୍କୁ ଜାମିନ ଦେବା ଅବସରରେ କୋର୍ଟ କହିଛନ୍ତି। ଏଥିସହ ପୂର୍ବରୁ ହାଇକୋର୍ଟ କବିତାଙ୍କୁ ‘ଶିକ୍ଷିତ ମହିଳା’ ହୋଇଥିବାରୁ ଜାମିନ ନଦେବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ସବୁ ମହିଳା ସମାନ। ସେ ସାଂସଦ ହୁଅନ୍ତୁ ଅବା ବିଧାୟକ ଅବା ଜଣେ ସାଧାରଣ ମହିଳା । ଖଣ୍ଡପୀଠ କହିଛନ୍ତି, ତଦନ୍ତକାରୀ ସଂସ୍ଥା କେବଳ ସରକାରୀ ସାକ୍ଷୀ ପାଲଟିଥିବା ପୂର୍ବତନ ଅଭିଯୁକ୍ତଙ୍କ ବୟାନ ଉପରେ ନିର୍ଭର କରିପାରିବେ ନାହିଁ।  ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ଆଦେଶକୁ ସର୍ବୋଚ୍ଚ ଅଦାଲତ ଗତକାଲି ଖାରଜ କରି ଜାମିନ ପ୍ରଦାନ କରିଛନ୍ତି। କବିତାଙ୍କୁ ୧୦ଲକ୍ଷ ଟଙ୍କା ଜାମିନ ବଣ୍ଡ ପ୍ରଦାନ କରିବାକୁ, ନିଜ ପାସ୍‌ପୋର୍ଟ ଜମା କରିବାକୁ, ସାକ୍ଷୀଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ନ ପକାଇବାକୁ ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେଲରୁ ବାହାରିବା ପରେ କବିତା କହିଛନ୍ତି, ସମଗ୍ର ଦେଶବାସୀ ଜାଣିଛନ୍ତି ମୋତେ କେବଳ ରାଜନୀତି ପାଇଁ ଫସାଇ ଦିଆଗଲା। ତାଙ୍କର କୌଣସି ଦୋଷ ନାହିଁ

କେ. କବିତାଙ୍କ ୧୬୬ ଦିନର ଜେଲ ଯାତ୍ରା:


ଡିସେମ୍ବର, ୨୦୨୩ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇର ନୋଟିସ୍
କବିତାଙ୍କୁ ସାକ୍ଷୀଭାବେ ହଜାର ହେବାକୁ ନୋଟିସ୍ କରିଥିଲା ସିବିଆଇ
ଗିରଫ ଅଭିଯୁକ୍ତ ପି ଶରତ ଚନ୍ଦ୍ର ରେଡି, ଅମିତ ଆରୋରା ମମଲାରେ ସାକ୍ଷୀ ଥିଲେ କବିତା
‘ସାଉଥ ଗ୍ରୁପ୍’ ପକ୍ଷରୁ ’ଏଏପି’କୁ ବଟି ଅବା ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଥିଲା
୭ ଥର କେ କବିତା ମୋବାଇଲ ନମ୍ବର ବଦଳାଇଥିବା ସିବିଆଇ କହିଥିଲା
ପରେ ଏହି ମାମଲାରେ ଇଡି କେ. କବିତାଙ୍କୁ ଜେରା ପାଇଁ ନୋଟିସ୍ କରିଥିଲା
ଫେବ୍ରୁଆରୀ, ୨୦୨୪ରେ କବିତାଙ୍କ ସହଯୋଗୀ ବୁଟଚିବାବୁଙ୍କୁ ଗିରଫ କରିଥିଲା
ମାର୍ଚ୍ଚ ୧୫, ଇଡି କେ କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା
ଏପ୍ରିଲ ୧୧ରେ ସିବିଆଇ ତାଙ୍କୁ ଏହି ମାମଲାରେ ହେପାଜତକୁ ନେଇଥିଲା। 
ଜୁଲାଇ ୧ ରେ କବିତା ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ