କନକ ବ୍ୟୁରୋ: ପାକିସ୍ତାନ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଭାରତୀୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସ୍କଟ୍‌ଲ୍ୟାଣ୍ଡ୍‌ର ଜଣେ ୟୁଟ୍ୟୁବରଙ୍କ ଭିଡିଓରୁ ଏହି ଖୁଲାସା ହୋଇଛି । ପାକିସ୍ତାନରେ ବ୍ଲଗ୍‌ ତିଆରି କରିବା ବେଳେ ଜ୍ୟୋତିଙ୍କ ସହ ସୁରକ୍ଷା ପାଇଁ ତାଙ୍କ ସାଥିରେ ରହିଥିଲେ କେତେକ ଗନ୍‌ମ୍ୟାନ୍‌ । ଯେଉଁମାନେ AK – 47 ବନ୍ଧୁକ ଧରିଥିବା ନଜର ଆସିଥିଲେ । ଏହି ଚିତ୍ର ସାମ୍ନାକୁ ଆସିବା ଜ୍ୟୋତିଙ୍କ ସମସ୍ୟା ଆହୁରି ବଢ଼ିଛି । ଏବେ ପାକିସ୍ତାନକୁ ଜ୍ୟୋତି କେଉଁ ସବୁ ତଥ୍ୟ ଦେଇଛନ୍ତି ? ତାଙ୍କ ସହ ଆଉ କେଉଁମାନେ ସାମିଲ ରହିଛନ୍ତି, ତାହାକୁ ନେଇ ଛାନଭିନ ଚଳାଇଛି ତଦନ୍ତକାରୀ ସଂସ୍ଥା ।

Advertisment

ସ୍କଟ୍‌ଲ୍ୟାଣ୍ଡ୍‌ର ଜଣେ ୟୁଟ୍ୟୁବର ଭିଡିଓରେ ଜ୍ୟୋତି ପାକିସ୍ତାନର ଅନାରକଲି ବଜାରରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସାଥିରେ ୬ରୁ ୭ ଜଣ ଗନ୍‌ମ୍ୟାନ୍‌ ରହିଥିବା ବି ଦେଖିବାକୁ ମିଳିଥିଲା । ଏମାନେ ନିଜକୁ ପାକିସ୍ତାନର ସୁରକ୍ଷାକର୍ମୀ ବୋଲି କହୁଥିବା ଶୁଣିବାକୁ ମିଳୁଥିଲା । ତେବେ ଏମାନେ ସାଧାରଣ ପୋଷାକ ଧାରଣ କରି ହାତରେ  AK-47  ବନ୍ଧୁକ ଧରିଥିବା ଦେଖିବାକୁ ମିଳିଥିଲା । ଏମାନଙ୍କ ପୋଷାକରେ ନୋ ଫିୟର ଲେଖା ଯାଇଥିବା ବି ଦେଖିବାକୁ ମିଳୁଥିଲା । ଜଣେ ଭିଆଇପିଙ୍କୁ ଯେଭଳି ସୁରକ୍ଷା ଦିଆଯାଏ ପାକିସ୍ତାନରେ ଜ୍ୟୋତିଙ୍କୁ ସେଭଳି ସୁରକ୍ଷା ପ୍ରଦାନ କରାଯାଉଥିଲା । 

ସ୍କଟ୍‌ଲ୍ୟାଣ୍ଡ୍‌ର ୟୁଟ୍ୟୁବର ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଭିଡିଓରେ ସେ ପ୍ରଶ୍ନ ମଧ୍ୟ କରିଛନ୍ତି ଯେ ଜଣେ ୟୁଟ୍ୟୁବରଙ୍କୁ ଏଭଳି ସୁରକ୍ଷା କିଭଳି ଦିଆଯାଉଛି । ଆଉ ୟୁଟ୍ୟୁବରଙ୍କ ପାଇଁ ବନ୍ଧୁକର କଣ ଆବଶ୍ୟକତା ରହିଛି ?  ବୋଲି ପ୍ରଶ୍ନ କରିଥିଲେ ସ୍କଟ୍‌ଲ୍ୟାଣ୍ଡ୍‌ର ୟୁଟ୍ୟୁବର । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ବାସ୍ତବରେ ଜ୍ୟୋତି ପାକିସ୍ତାନ ବ୍ଲଗ୍‌ କରିବାକୁ ଯାଉଥିଲେ ତ ?  ତାଙ୍କ ସହ ଥିବା ସୁରକ୍ଷାକର୍ମୀ ସରକାରୀ ଏଜେନ୍ସିର ଥିଲେ ନା କୌଣସି ପ୍ରାଇଭେଟ୍‌ ଏଜେନ୍ସିର ବାଉନ୍ସର ଥିଲେ ? ପାକିସ୍ତାନ ଗୁପ୍ତଚର ଅଭିଯୋଗରେ ଗିରଫ ହେବାପରେ ତଦନ୍ତ କରୁଥିଲା ଏନ୍‌ଆଇଏ । ପଚରାଉଚରା ଉପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଆଜି ତାଙ୍କୁ ଜେଲ୍‌ ପଠାଇଛନ୍ତି କୋର୍ଟ ।