କନକ ବ୍ୟୁରୋ: ପାକିସ୍ତାନ ଗୁପ୍ତଚର ଭାବେ କାର୍ଯ୍ୟ କରି ଗିରଫ ହୋଇଥିବା ଜ୍ୟୋତି ମଲହୋତ୍ରାଙ୍କ ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି ।  ଗତବର୍ଷ ଜ୍ୟୋତି ପୁରୀ ଆସିବା, ଭିଡିଓ ବନେଇବା ଓ ସ୍ଥାନୀୟ ୟୁଟ୍ୟୁବର୍ ପ୍ରିୟଙ୍କା ସେନାପତିଙ୍କୁ ଭେଟିବା ଅନେକ ସନ୍ଦେହ ସୃଷ୍ଟି କରିଛି । ତେଣୁ ପୁଲିସ ସ୍କାନରରେ ଆସିଛନ୍ତି ପ୍ରିୟଙ୍କା ।

Advertisment

ଗତବର୍ଷ ପୁରୀ ଆସିଥିବାବେଳେ ମାର୍କେଟ ଛକ ନିକଟସ୍ଥ ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରେ ରହିଥିଲେ ଜ୍ୟୋତି । ସେପ୍ଟେମ୍ବର ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ରୁମ୍ ବୁକ୍ ଥିଲା । ଦିନ ତମାମ ପୁରୀର ବ୍ଲଗ୍‌ କରିଥିଲେ । ଏଥିରେ ସହଯୋଗ କରିଥିଲେ ପ୍ରିୟଙ୍କା ସେନାପତି । ପରେ ଏହି ଭିଡିଓକୁ ସେ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ତେଣୁ ପୁରୀ ପୋଲିସ ଭକ୍ତ ନିବାସକୁ ଯାଇ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଥ୍ୟ ସଂଗ୍ରହ କରିଛି ।  

  • ଚତୁର୍ଥ ଦିନରେ ପ୍ରିୟଙ୍କାଙ୍କୁ ଝାଳବୁହା ଜେରା 
  • ଚାଲିଛି କଲ୍‌ ଡିଟେଲ୍ ଓ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚ  

ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତି ପୁରୀର ଭିଡିଓ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରିଥିଲେ । ତେଣୁ ପ୍ରିୟଙ୍କା-ଜ୍ୟୋତି ଲିଙ୍କ୍ ଘଟଣାର ତଦନ୍ତ ଚତୁର୍ଥ ଦିନରେ ପହଞ୍ଚିଛି । ଏନଆଇଏ, ରାଜ୍ୟ ଗୁଇନ୍ଦା ବିଭାଗ ଓ ହରିୟାଣା ହିସାର ପୁଲିସ ସହ ଯୋଗାଯୋଗରେ ଅଛି ପୁରୀ ପୁଲିସ । ପ୍ରିୟଙ୍କାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍, କ’ଣ କ’ଣ ପୋଷ୍ଟ କରିଥିଲେ, କ’ଣ କ’ଣ ଡିଲିଟ୍‌ କରିଛନ୍ତି, ତାଙ୍କ କଲ୍ ଡିଟେଲ୍ ରେକର୍ଡ, ବ୍ୟାଙ୍କ୍ ଆକାଉଣ୍ଟ ସବୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ପ୍ରିୟଙ୍କାଙ୍କ ଆକାଉଣ୍ଟରେ କାହା ସହ ଆର୍ଥିକ କାରବାର ହୋଇଛି ତାହାର ମଧ୍ୟ ଛାନଭିନ୍ ହେଉଛି ।  

ସେପଟେ ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରାଙ୍କ ପାକିସ୍ତାନ ଲିଙ୍କର ଖୋଳତାଡ଼ ବେଳେ ସାମ୍ନାକୁ ଆସିଛି କୋଲକାତା ଲିଙ୍କ୍ । ଗୋଟିଏ ଭିଡିଓରେ, ଜ୍ୟୋତି ମଲହୋତ୍ରା ଓଡ଼ିଶାର ପ୍ରିୟଙ୍କା ସେନାପତି ଏବଂ କୋଲକାତାର ବ୍ଲଗର୍ ସୌମିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଦେଖିବାକୁ ମିଳିଛି । କୁହାଯାଉଛି, ପ୍ରିୟଙ୍କାଙ୍କ ପରେ ସୌମିତ୍‌କୁ ବି ଜେରା କରିପାରେ ହରିୟାଣା ହିସାର ପୁଲିସ । ଯେଉଁଭଳି ଭାବେ ପୁରୀ ବ୍ଲଗର୍ ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଭିଡିଓ ଭାଇରାଲ୍ ହେଲା, ସେହିଭଳି ଭାବେ ସୌମିତ ସହ ଜ୍ୟୋତିଙ୍କ କୋଲକାତା ବୁଲୁଥିବାର ଭିଡିଓ ଭାଇରାଲ୍ ହେଉଛି ।  

ସୂଚନାଯୋଗ୍ୟ ଯେ, ପାକ୍ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ଘଟଣାରେ ସମସ୍ତଙ୍କ ନଜର ଏବେ ପୁରୀ ଉପରେ । ଅନ୍ୟପଟେ ଜ୍ୟୋତି ପାକିସ୍ତାନୀ ଲିଙ୍କର ନୂଆ ଭିଡିଓ ସାମନାକୁ ଆସିବାରେ ଲାଗିଛି । ଯାହାକି ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।