କନକ ବ୍ୟୁରୋ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଏବେ ସୁଦ୍ଧା ଗିରଫ ହେଲେଣି ୧୦ରୁ ଅଧିକ ଗୁପ୍ତଚର । ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଟ୍ରାଭେଲ ବ୍ଲଗର ତଥା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଯାହାଙ୍କ ଇନଷ୍ଟାଗ୍ରାମ, ଫେସବୁକ ଆକାଉଣ୍ଟର ଫଟୋ ଓ ଭିଡିଓରୁ ଗୁଇନ୍ଦାଗିରି ବାବଦରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି । ଏପରିକି ଅନ୍ୟ ଗୁପ୍ତଚରଙ୍କ ଲିଙ୍କ୍ ମଧ୍ୟ ମିଳୁଛି । ଅନ୍ୟପଟେ ହିସାରରେ ଏବେ ପହଚିଛି ଏନଆଇଏ ଟିମ । ତେବେ ଜେରା ସମୟରେ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ-
ଫିଟୁଛି ଗୁପ୍ତଚରଙ୍କ ଗୁମର
-ଜ୍ୟୋତି କେବଳ ପାକିସ୍ତାନ କିମ୍ବା ଚୀନ୍ ଯାଇନଥିଲେ
-ବରଂ ଦେଶର ଅଧିକାଂଶ ସୀମାବର୍ତ୍ତୀ ରାଜ୍ୟକୁ ଯାଉଥିଲେ
-ରାଜସ୍ଥାନ, ଗୁଜରାଟର ସୀମାବର୍ତ୍ତୀ ଅଞ୍ଚଳରେ ଭିଡିଓ ଓ ଫଟୋ ଉଠାଉଥିଲେ
-ଏହାକୁ କେବଳ ଟ୍ରାଭେଲ ବ୍ଲଗ୍ ପାଇଁ ବ୍ୟବହାର କରୁନଥିଲେ
-ପାକିସ୍ତାନକୁ ପଠାଉଥିବା ପ୍ରମାଣ ଆଧାରରେ ନୂଆ ଦିଗରେ ତଦନ୍ତ କରୁଛି ପୁଲିସ
-ଜାନୁଆରି ୫, ୬ ଓ ୭ରେ ୩ଟି ଭିଡିଓ ଅପଲୋଡ୍ କରିଥିଲେ
-ଯାହା ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳର
-ଜ୍ୟୋତି ବ୍ଲଗ୍ ବାହାନା କରି ସେନା କ୍ୟାମ୍ପ ନିକଟକୁ ମଧ୍ୟ ଲୁଚିକି ଯାଉଥିଲେ
-ତେବେ ବାଡମେରରୁ ମୁନାବାବ ଟ୍ରେନ୍ରେ ଯାତ୍ରା କରିଥିଲେ
-ଏଠାକାର ଲୋକଙ୍କୁ ପଚାରିଥିଲେ ସୀମା ପାର ପାଇଁ କେତେ ସମୟ ଲାଗେ
-ଜ୍ୟୋତିଙ୍କ ହିସାର ଘରେ ପହଞ୍ଚିଛି ଏନ୍ଆଇଏ
-କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଛି
-ପରେ ଚଣ୍ଡିଗଡ଼କୁ ଅଣାଯାଇ ଅଧିକ ତଥ୍ୟ ଉଗାରିବ ଏନ୍ଆଇଏ
-ଏନ୍ଆଇଏ ଓ ଜମ୍ମୁ-କାଶ୍ମୀର ଇଣ୍ଟେଲିଜେନ୍ସି ଜେରା କରୁଛି
-କେଉଁଠି, କାହା ସହ କେବଳ ଯାତ୍ରା କରିଥିଲେ ଜ୍ୟୋତି, ଖୋଳତାଡ଼ କରାଯାଉଛି
ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ପାକିସ୍ତାନ ଲିଙ୍କ୍ର ଖୋଳତାଡ଼ବେଳେ ସାମ୍ନାକୁ ଆସିଛି କୋଲକାତା ଲିଙ୍କ୍ । ଗୋଟିଏ ଭିଡିଓରେ, ଜ୍ୟୋତି ଓଡ଼ିଶାର ପ୍ରିୟଙ୍କା ସେନାପତି ଏବଂ କୋଲକାତାର ବ୍ଲଗର ସୌମିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଦେଖିବାକୁ ମିଳିଛି । ତିନି ଜଣ ଯାକ ମିଶି କାଶ୍ମୀରରେ ବୁଲୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । କୁହାଯାଉଛି, ପ୍ରିୟଙ୍କାଙ୍କ ପରେ ସୌମିତ୍କୁ ବି ଜେରା କରିପାରେ ହରିୟାଣା ହିସାର ପୁଲିସ । ଯେଉଁଭଳି ଭାବେ ପୁରୀ ବ୍ଲଗର ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଭିଡିଓ ଭାଇରାଲ ହେଲା, ସେହିଭଳି ଭାବେ ସୌମିତଙ୍କ ସହ ଜ୍ୟୋତିଙ୍କ କୋଲକାତା ବୁଲୁଥିବାର ଭିଡିଓ ଭାଇରାଲ ହେଉଛି । ଜ୍ୟୋତି ଆଉ ସୌମିତ୍ ବାରକପୁରରୁ ଧୋବି ଘାଟ ଥିବେ ଅନେକ ପର୍ଯ୍ୟଟନ ସ୍ଥଳୀ ସମେତ ବହୁ ସମ୍ବେଦନଶୀଳ ସ୍ଥାନ ବୁଲିଥିଲେ । କୋଲକାତାର ଆର୍ମି କ୍ୟାମ୍ପ, ଏୟାରବେସ, ହାୱଡ଼ା ରେଲୱେ ଷ୍ଟେସନ, ପାର୍କ ସର୍କସ୍ ଅତି ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଏହାର ତଥ୍ୟ ଲିକ୍ ହୋଇଛି କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।