କନକ ବ୍ୟୁରୋ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସିଂହଦ୍ବାରରେ ଫଟୋ ଓ ଭିଡିଓ ଉଠାଇଥିଲେ । ପୁରୀ ବେଳାଭୂମି ବୁଲିବା ସହ ସେଠାରେ ବି ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି । ଯାହାର ଭିଡିଓ ଓ ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଛାଡ଼ିଛନ୍ତି । ଜ୍ୟୋତି ପୁଲିସ ଦ୍ବାରା ଗିରଫ ହେବା ପରେ ତାଙ୍କ ପୁରୀ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ଏହାର ଖୋଳତାଡ଼ ଆରମ୍ଭ କରିଛି । ସେ କେବେ ଆସିଥିଲେ? ହୋଟେଲରେ ରହିଥିଲେ କି ଅନ୍ୟ କେଉଁଠି ରହିଥିଲେ? ଯଦି ହୋଟେଲରେ ରହିଥିଲେ, ତେବେ କେଉଁ ହୋଟେଲରେ ରହିଥିଲେ? କେତେ ଦିନ ରହିଥିଲେ? କାହା ସହିତ ଆସିଥିଲେ? କିଏ ଭିଡିଓ ଓ ଫଟୋ ଉଠାଇଥିଲା? ସବୁଦିଗକୁ ଅନୁଧ୍ୟାନ କରାଯାଉଛି । ବଡ଼କଥା ହେଉଛି, ପୁରୀ କାଳିକାଦେବୀସାହିର ଜଣେ ଯୁବତୀ ଜ୍ୟୋତିଙ୍କ ସଂପର୍କରେ ଥିଲେ । ଜ୍ୟୋତିଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା । ଗତ ଜାନୁଆରୀରେ ଦୁଇଜଣ ସାଙ୍ଗ ହୋଇ ପାକିସ୍ତାନର କର୍ତ୍ତାରପୁର କରିଡର୍‌ ଯାଇଥିଲେ । ଯାହାର ଫଟୋ ଯୁବତୀ ନିଜ ସୋସିଆଲ୍‌ ଆଇଡିରେ ଛାଡ଼ିଛନ୍ତି । ଏଣୁ ଯୁବତୀଙ୍କୁ ରାଜ୍ୟ ଗୁଇନ୍ଦା ଓ ଜିଲ୍ଲା ପୁଲିସ ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ପ୍ରତିବର୍ଷ ଭଳି ଚଳିତବର୍ଷ ବି ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଗୁଇନ୍ଦାଗିରି ପାଇଁ ଜ୍ୟୋତିଙ୍କ ଗିରଫ ପୁଲିସର ମୁଣ୍ଡବଥା ବଢ଼ାଇ ଦେଇଛି । 

Advertisment

ସେପଟେ ଗୁଇନ୍ଦା ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଓ ପୁରୀ ଡିଆର୍‌ଡିଓ କାର୍ଯ୍ୟାଳୟ ସୁରକ୍ଷାକୁ ଆହୁରି ବଢ଼ାଇବା ଉପରେ ଜିଲ୍ଲା ପୁଲିସକୁ ପରାମର୍ଶ ଦିଆଯାଇଛି । ଜ୍ୟୋତି ଜଣେ ଟ୍ରାଭେଲ୍‌ ବ୍ଲଗର୍‌ ଓ ୟୁଟ୍ୟୁବର୍‌ । ସେ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ନିଜ ବ୍ଲଗ୍‌, ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ୍‌ ସାଇଟ୍‌ରେ ଛାଡ଼ିଥାନ୍ତି । ଜ୍ୟୋତି ୨୦୨୪ ସେପ୍ଟେମ୍ବର ୨୯ ତାରିଖରେ ନିଜ ଇନ୍‌ଷ୍ଟାଗ୍ରାମରେ ଶ୍ରୀମନ୍ଦିରର ଦୁଇଟି ଭିଡିଓ ଛାଡ଼ିଛନ୍ତି । ସେହିଭଳି ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ପୁରୀ ବେଳାଭୂମିରେ ବୁଲିବାର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି । ଜ୍ୟୋତି ଯେହେତୁ ପାକିସ୍ତାନ ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି, ତେଣୁ ପୁରୀ ଆସିବା ପଛରେ ସେଭଳି କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ତ? ତାହାର ଖୋଳତାଡ଼ ଆରମ୍ଭ କରିଛି କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ।

ୟୁଟ୍ୟୁଟର ଜ୍ୟୋତିଙ୍କ ଗୁଇନ୍ଦାଗିରି
- ତିନି ଥର ପାକିସ୍ତାନ ଯାଇଥିଲେ ଜ୍ୟୋତି ମାଲହୋତ୍ରା
- ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ମଧ୍ୟ ଭେଟିଥିଲେ
- ପାକ୍ ଉଚ୍ଚାୟୁକ୍ତ ଦାନିଶଙ୍କ ସମ୍ପର୍କରେ ଥିଲେ
- ଜ୍ୟୋତିଙ୍କୁ ପାକିସ୍ତାନର ଭିସା ଦେଇଥିଲେ ଦାନିଶ
- ଟଙ୍କା ଓ ଭିସା ବାହାନାରେ ଜ୍ୟୋତିଙ୍କୁ ଫସାଇଥିଲେ
- ପାକିସ୍ତାନୀ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା
- ଅଧିକାରୀଙ୍କ ଜରିଆରେ ଆଇଏସ୍‌ଆଇ ସହ ସମ୍ପର୍କ
- ଆଇଏସ୍‌ଆଇ ଏଜେଣ୍ଟ ଅଲ୍ଲୀ ଓ ସାହିଦଙ୍କୁ ଭେଟିଥିଲେ
- ଜଟ୍ଟ ରନ୍ଧୱା ନାଁରେ ସେଭ୍ କରିଛନ୍ତି ସାହିଦଙ୍କ ନମ୍ବର
- ଆଇଏସ୍‌ଆଇ ଏଜେଣ୍ଟଙ୍କ ଅତି ନିକଟତର ଜ୍ୟୋତି
- ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ କିଛି ଦେଶ ମଧ୍ୟ ବୁଲିଛନ୍ତି
- ପାକିସ୍ତାନକୁ ଦେଇଛନ୍ତି ଭାରତ ବିରୋଧୀ ତଥ୍ୟ