କନକ ବ୍ୟୁରୋ : ହରିଆଣାର ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରା, ଯିଏ ସାଜିଥିଲେ ପାକିସ୍ତାନର ଗୁପ୍ତଚର । ଭାରତରେ ଥିବା ପାକ୍‌ ହାଇକମିଶନ ଅଧିକାରୀଙ୍କ ସହ ରହିଛି ଘନିଷ୍ଠ ସମ୍ପର୍କ । ପାକିସ୍ତାନ ହାଇ କମିଶନଙ୍କ ଜରିଆରେ ଭିସା କରି ୨୦୨୩ରେ ଯାଇଥିଲେ ପାକିସ୍ତାନ । ସେଠାରେ ପାକ୍‌ ହାଇକମିଶନଙ୍କର ଜଣେ କର୍ମଚାରୀ ଏହସାନ୍ ଉର୍ ରହିମ ଓରଫ ଦାନିଶଙ୍କ ସହ ଗଢିଉଠିଥିଲା ନିବିଡ଼ ସମ୍ପର୍କ । ଜ୍ୟୋତି ମାଲହୋତ୍ରା ପାକିସ୍ତାନରେ ଅନେକ ଭିଡିଓ ଏବଂ ରିଲସ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜ୍ୟୋତି ଏକ ଫଟୋ ଛାଡିଛନ୍ତି, ଯେଉଁଥିରେ ଉର୍ଦ୍ଦୁ ଭାଷାରେ ଲେଖାଯାଇଛି ‘ଇସ୍କ ଲାହୋର’। ଗୁଇନ୍ଦା ସୂଚନା ଆଧାରରେ ତାଙ୍କୁ ହରିଆଣାର ହିସାରରୁ ଗିରଫ କରିଛି ପୁଲିସ । ତାଙ୍କ ସହିତ ଅନ୍ୟ ୫ ଜଣ ମଧ୍ୟ ଗିରଫ ହୋଇଛନ୍ତି। 

Advertisment

ଜ୍ୟୋତି ମାଲହୋତ୍ରା ଜଣେ ଟ୍ରାଭେଲ୍ ବ୍ଲଗର, ଯିଏ ବୁଲି ବୁଲି ବ୍ଲଗ୍ କରିଥାନ୍ତି । ସେ ଅନେକ ଥର ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସମ୍ପର୍କତ ଅନେକ ଭିଡ଼ିଓ କରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯଦିଓ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରାମ ଚାଲିଛି, କିନ୍ତୁ ସରିନାହିଁ ଅପରେସନ୍ ସିନ୍ଦୂର ।  ଗୋଟେପଟେ ସୀମା ବାହାରେ ଭାରତୀୟ ଯବାନ ସେମାନଙ୍କ ଅପରେସନ୍ ଜାରି ରଖିଛନ୍ତି। ଅନ୍ୟପଟେ ସୀମା ଭିତରେ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରିବା ଅଭିଯୋଗରେ ନିଆଯାଉଛି ଆକ୍ସନ । 

ହରିୟାଣାର ଟ୍ରାଭେଲ୍ ବ୍ଲଗର ଜ୍ୟୋତିଙ୍କୁ ଭାରତୀୟ ନ୍ୟାୟ ସଂହିତାର ସେକ୍ସନ ୧୫୨ ଆଧାରରେ ଗିରଫ କରାଯାଇଛି । ହିସାରର ଅର୍ଥନୈତିକ ଅପରାଧ ଶାଖାକୁ ଦିଆଯାଇଛି ମାମଲାର ତଦନ୍ତ ଦାୟିତ୍ବ ।