ମିଳୁନି ପ୍ରୋତ୍ସାହନ । ନଳିତା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।

ପ୍ରୋତ୍ସାହନ ଅଭାବ ଏବଂ ଉଚିତ ବଜାର ମୁଲ୍ୟ ମିଳୁ ନଥିବାରୁ ନଳିତା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ । ନଳିତା ଚାଷ କରି ବାଲିଆପାଳ ଚାଷୀ ରାଜ୍ୟ ତଥା ରାଜ୍ୟ ବାହାରକୁ ଜୁଟ ରପ୍ତାନି କରୁଥିଲେ । ଏବେ ଚାଷ ଉପରୁ ମୁହଁ ଫରାଉଛନ୍ତି ।  

vlcsnap-2024-10-27-22h19m06s144

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମୁର୍ତ୍ତିକା ଏବଂ ଜଳବାୟୁ ନଳିତା ଚାଷ ପାଇଁ ବେଶ ଉପଯୋଗୀ । ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ବାଲିଆପାଳ ବ୍ଲକର ଅସ୍ତି, କୁମ୍ଭାରୀ, ନୀଖିରା, ଶ୍ରୀରାମପୁର୍, ବିଷ୍ଣୁପୁର୍, ମଧୁପୁରା, ଜାମକୁଣ୍ଡା, ଦେଉଳା ପ୍ରଭୃତି ପଂଚାୟତର ହଜାର ହଜାର ହେକ୍ଟର ଜମିରେ ଚାଷି ନଳିତା ଚାଷ କରିଥାନ୍ତି ଚାଷୀ । ସେଥିପାଇଁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ସର୍ବବୃହତ ଝୋଟ ଉତ୍ପାଦନକାରି ବ୍ଲକ ଥିଲା । ଫଳରେ ନଳିତାରୁ ଉତ୍ପାଦିତ ହେଉଥିବା ଝୋଟ ବାହାରକୁ ରପ୍ତାନି କରି ବାଲିଆପାଳ ବେଶ ପ୍ରସିଦ୍ଧି ଲାଭ କରିଥିଲା । ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ଝୋଟ ଉତ୍ପାଦନ ହେଉଥିବାରୁ ୩୦ ବର୍ଷ ପୂର୍ବେ କେନ୍ଦ୍ର ସରକାର ଏଠାରେ ଏକ ଝୋଟ ସୋସାଇଟି ଖୋଲି ଚାଷିଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଝୋଟ କିଣୁଥିଲେ । ଯାହାଫଳରେ ଚାଷୀ ଭଲ ଦୁଇ ପାଇସା ଲାଭ କରି ପାରୁଥିଲେ । ତେବେ କୌଣସି କାରଣ ନଥାଇ ୧୦ ବର୍ଷ ତଳେ ସୋସାଇଟି ବନ୍ଦ ହୋଇ ଯିବାରୁ ଉତ୍ପାଦିତ ଝୋଟକୁ ଉଚିତ ମୁଲ୍ୟରେ ବକ୍ରି କରି ନପାରି ଦଲଲା ଏବଂ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ ବିକ୍ରି କରି କ୍ଷତି ସହୁଛନ୍ତି ଚାଷୀ । 

 
ଝୋଟରୁ କାର୍ପେଟ, ଅଖାବ୍ୟାଗ, ରଶି ସମେତ ବହୁ ପ୍ରକାରର ଘରୋଇ ଉପକରଣ ପ୍ରସ୍ତୁତ ହୋଇଥାଏ । ଯାହା ବାହାର ରାଜ୍ୟରେ ବେଶ ଚାହିଦା ରହିଛି । ବାଲିଆପାଳ ଅଞ୍ଚଳରୁ ଉତ୍ପାଦିତ ଝୋଟ ଜିଲ୍ଲାରେ ଥିବା ରୁପ୍ସା ଝୋଟ ମିଲ, ଧାନମଣ୍ଡଳ ଝୋଟ ମିଲ, ଢେଙ୍କାନାଳ ଝୋଟ ମିଲ ସହିତ ପଶ୍ଚିମବଙ୍ଗର କଲିକତା ଝୋଟ ମିଲକୁ ଯାଉଥିଲା, ଏକ ହେକ୍ଟର ଜମିରେ ନଳିତା ଚାଷ ପାଇଁ ୫ ରୁ ୭ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପାଖାପାଖି ୧୫ ରୁ ୨୦ ହଜାର ଟଙ୍କାରେ ଝୋଟ ବିକ୍ରୀ ହେଉଥିଲା ।

ମାତ୍ର ଏଠାରେ ଝୋଟ ସୋସାଇଟି ବନ୍ଦ ହୋଇଯିବା ପରେ ସ୍ଥାନୀୟ ବ୍ୟବସାୟୀ ଏବଂ ବାହରର ବ୍ୟବସାୟୀ ମାନେ ଚାଷିଙ୍କ ଠାରୁ ବହୁ କମ ମୁଲ୍ୟରେ କିଣି ମାଲାମାଲ ହେଉଛନ୍ତି । ଆଉ ଚାଷି କ୍ଷତି ସହୁଛନ୍ତି । ସରକାର ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇ ଝୋଟରୁ ତିଆରି ସାମଗ୍ରୀ ଉପରେ ଗୁରୁତ୍ୱ ଦେଉଥିବା ଦେଉଛନ୍ତି । ମାତ୍ର ଉଚିତ ମୁଲ୍ୟ ପାଉ ନଥିବାରୁ ଝୋଟ ଉତ୍ପାଦନ କମି କମି ଯାଉଛି । ପ୍ଲାଷ୍ଟିକ ସାମଗ୍ରୀ ଉପରେ ରୋକ ଲାଗି ପାରୁନାହିଁ ।

ଝୋଟ କର୍ପରେସନ ଅଫ ଇଣ୍ଡିଆ ଚାଷିଙ୍କ ଠାରୁ ଝୋଟ କିଣିବା ବ୍ୟବସ୍ଥା କରିଥିବା ବେଳେ କୃଷି ବିଭାଗ ପକ୍ଷରୁ ମାଗଣାରେ ବିହନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଥିବା ସୁଚନା ଦେଇଛନ୍ତି ବାଲିଆପାଳ କୃଷି ଅଧିକାରୀ । ନଳିତା ଚାଷକୁ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ଏବଂ ଝୋଟ ଉତ୍ପାଦନକୁ ଦୃଷ୍ଟରେ ରଖି ବନ୍ଦ ହୋଇ ପଡିଥିବା ସୋସାଇଟିକୁ ପୁଣିଥରେ କାର୍ୟ୍ୟକ୍ଷମ କଲେ ଏହି ଚାଷ ଉପରେ ଚାଷିଙ୍କ ଆଗ୍ରହ ବଢିବା ସହିତ ଲାଭବାନ ହୋଇ ପାରନ୍ତେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe