କନକ ବ୍ୟୁରୋ : ଭାରତୀୟ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଦେଶର ନ୍ୟାୟିକ ବ୍ୟବସ୍ଥା ଇତିହାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଫର୍ଦ୍ଦ ଯୋଡି ହୋଇପାରେ । କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି । ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜିଜୁ ଏହି ପ୍ରସଙ୍ଗରେ ବିରୋଧୀଦଳମାନଙ୍କ ସହ ଆଲୋଚନା ମଧ୍ୟ କରିବେ । 

Advertisment

କ'ଣ ଏହି ମହାଭିଯୋଗ ?
ମହାଭିଯୋଗ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୨୪ (୪) ଓ ୧୨୪(୫)ରେ ଉଲ୍ଲେଖ ରହିଛି । ଏହା ସର୍ବୋଚ୍ଚ ନ୍ୟାୟାଳୟ କିମ୍ବା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ତାଙ୍କ ପଦରୁ ହଟାଇବାକୁ ଏକ ସାମ୍ବିଧାନିକ ପ୍ରକ୍ରିୟା । ମହାଭିଯୋଗ କେବଳ ଦୁଇଟି ଆଧାରରେ ଅଣାଯାଇଥାଏ । ପ୍ରଥମଟି ହେଉଛି ଦୁର୍ବ୍ୟବହାର ଓ ଦ୍ୱିତୀୟ ଟି କାର୍ଯ୍ୟ କରିବାରେ ଅକ୍ଷମତା ।
ମହାଭିଯୋଗ ପ୍ରସ୍ତାବ ସଂସଦର କୌଣସି ସଦନରେ ଅଣାଯାଇପାରିବ । ଲୋକସଭାରେ ଅତି କମରେ ୧୦୦ ଜଣ ସାଂସଦ କିମ୍ବା ରାଜ୍ୟସଭାରେ ଅତି କମରେ ୫୦ ଜଣ ସାଂସଦଙ୍କ ହସ୍ତାକ୍ଷର ରହିବା ନିହାତି ଜରୁରି । 

ପ୍ରସ୍ତାବ ଆଗତ ହେବା ପରେ ଲୋକସଭାର ଅଧ୍ୟକ୍ଷ କିମ୍ବା ରାଜ୍ୟସଭାର ସଭାପତି ପ୍ରସ୍ତାବର ବୈଦ୍ଧତା ଉପରେ ଯାଂଚ କରିବେ । ଏନେଇ ଏକ ଯାଂଚ କମିଟି ଗଠନ କରାଯିବ । ଏହି କମିଟିରେ ସୁପ୍ରିମକୋର୍ଟର ଜଣେ ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଜଣେ ଜଣାଶୁଣା ଓକିଲ ସ୍ଥାନ ପାଇବେ । କମିଟି ଅଭିଯୋଗ ଉପରେ ଯାଂଚ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ । ଯଦି ଯାଂଚ କମିଟି ରିପୋର୍ଟରେ ଅଭିଯୋଗର ସତ୍ୟତା ପ୍ରମାଣିତ ହେବ ତେବେ ସଂସଦରେ ଏହି ପ୍ରସ୍ତାବ ଆଗତ ହୋଇପାରିବ । 
ଏହାପରେ ସଂସଦର ଉଭୟ ସଦନରେ ଏହା ଉପରେ ତର୍କ ହେବ, ପ୍ରସ୍ତାବ ପାରିତ ହେବା ପାଇଁ ଉଭୟ ସଦନରୁ ଦୁଇ ତୃତୀୟାଂଶ ବହୁମତର ଆବଶ୍ୟକତା ରହିଛି । 

କେବଳ ସେତିକି ନୁହେଁ ସଂସଦରେ ପ୍ରସ୍ତାବ ପାରିତ ହେବା ପରେ ଶେଷ ନିଷ୍ପତ୍ତି ରାଷ୍ଟ୍ରପତି ନେବେ । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଯାଂଚ କମିମି ପ୍ରଥମରୁ ଏକ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ସୂତ୍ର ସୂଚନା ମୁତାବକ ଏହି ରିପୋର୍ଟରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି । ଏହି ରିପୋର୍ଟକୁ ମହାଭିଯୋଗର ଆଧାର କରାଯାଇପାରେ । ଏଥିପାଇଁ ଆଉ ଏକ ସଂସଦୀୟ ଯାଂଚ କମିଟି ଗଠନ କରିବାକୁ ପଡିନପାରେ । 

ସରକାରଙ୍କର କ'ଣ ରହିଛି ରଣନୀତି ?
ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜିଜୁ ଏହି ପ୍ରସଙ୍ଗରେ ବିରୋଧୀଦଳ ସହ ଆଲୋଚନା କରିବେ । ସରକାର ବିରୋଧୀଙ୍କ ସହଯୋଗ ଲୋଡିପାରନ୍ତି । କାରଣ ଏହି ପ୍ରସ୍ତାବକୁ ପାରିତ କରିବାକୁ ହେଲେ ଉଭୟ ସଦନରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସହମତିର ଆବଶ୍ୟକତା ରହିଛି । ହେଲେ ବିରୋଧୀ ପ୍ରଥମରୁ ରହିଥିବା ବିଚାରପତି ଜଷ୍ଟିସ ଶେଖର ଯାଦବଙ୍କ ମହାଭିଯୋଗ ପ୍ରସ୍ତାବର ଉଦାହରଣ ଦେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିପାରନ୍ତି । 

ସେପଟେ ଯେପର୍ଯ୍ୟନ୍ତ ଜଷ୍ଟିସ ବର୍ମା ନିଜ ପଦରେ ରହିଛନ୍ତି ସେପର୍ଯ୍ୟନ୍ତ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇପାରିବ ନାହିଁ । ସମ୍ବିଧାନର ନ୍ୟାୟିକ ସ୍ୱତନ୍ତ୍ରତା ରକ୍ଷା ପାଇଁ ଏହି ପ୍ରାବଧାନ ରହିଛି କି, ଜଣେ ବିଚାରପତି ତାଙ୍କ ପଦରୁ ନହଟିବା ଯାଏଁ ତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିପାରିବ ନାହିଁ । ମହାଭିଯୋଗ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ତାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।

ଯଦି ଭାରତରେ ମହାଭିଯୋଗର ଇତିହାସ ଦେଖିବା ତେବେ ୧୯୯୩ ମସିହାରେ ପ୍ରଥମଥର ପାଇଁ ବିଚାରପତି ଜଷ୍ଟିସ ବି.ରାମା ସ୍ୱାମୀଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଆଧାରରେ ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା ।  ପ୍ରସ୍ତାବ ମତଦାନ ପର୍ଯ୍ୟନ୍ତ ପହଂଚିଥିଲା । ହେଲେ କଂଗ୍ରେସ ସାଂସଦମାନେ ଭୋଟରୁ ବିରତ ରହିବା ଯୋଗୁଁ ପ୍ରସ୍ତାବ ପାରିତ ହୋଇପାରି ନଥିଲା । 
୨୦୧୧ ରେ କୋଲକାତା ହାଇକୋର୍ଟର ବିଚାରପତି ସୌମିତ୍ର ସେନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଥିଲା । ହେଲେ ଲୋକସଭାରେ ଭୋଟିଂ ପୂର୍ବରୁ ଜଷ୍ଟିସ ସୌମିତ୍ର ସେନ୍ ନିଜ ପଦରୁ ଇସ୍ତଫା ଦେଇଥିଲେ । ମାଡ୍ରାସ ହାଇକୋର୍ଟର ତକ୍ରାଳୀନ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ଯାଂଚ କମିଟି ଗଠିତ ହୋଇଥିଲା । ହେଲେ ଜଷ୍ଟିସ ପି.ଡି ଦିନାକରଣ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ସେହିଭଳି ସୁପ୍ରିମକୋର୍ଟର ତକ୍ରାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରାଙ୍କ ବିରୋଧରେ ମଧ୍ୟ ସେତେବେଳେ ବିରୋଧୀଦଳ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ । ଉପରାଷ୍ଟ୍ରପତି ସେତେବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ ।  

ଏହି ମହାଭିଯୋଗ ପ୍ରସ୍ତାବକୁ ଦେଖିଲେ, ଏବେ ଲୋକସଭାରେ ସରକାରଙ୍କ ପାଖରେ ପୂର୍ଣ୍ଣ ବହୁମତ ରହିଛି । ହେଲେ ରାଜ୍ୟସଭାରେ ସରକାରଙ୍କୁ ବିରୋଧୀଙ୍କ ସମର୍ଥନ ଦରକାର ପଡିପାରେ । ବିରୋଧୀ ଦଳ ଏବେ ଏହି ପ୍ରସ୍ତାବ ଉପରେ ମନ୍ଥନ ଚଳାଇଛନ୍ତି । ସେପଟେ ବିରୋଧୀଦଳରୁ କିଛି ସାଂସଦ ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରୁଛନ୍ତି । କେବଳ ଏନେଇ ବିରୋଧୀଦଳଗୁଡିକ କ'ଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ।