କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉତ୍ତରାଧିକାରୀ ଭାବେ ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଖାନ୍ନାଙ୍କ ନାଁ ସୁପାରିସ କରିଥିଲେ । ଏହା ଉପରେ ଗୁରୁବାର ମୋହର ବାଜିଛି । ଆସନ୍ତା ନଭେମ୍ବର ୧୧ ତାରିଖରେ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ଭାବେ ଶପଥ ନେବେ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି । ସମ୍ବିଧାନରେ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି ପ୍ରଧାନ ବିଚାରପତିଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ପରବର୍ତ୍ତୀ ସିଜେଆଇ ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳ ନଭେମ୍ବର ୧୧ରୁ ଆରମ୍ଭ ହେବ ବୋଲି ଶ୍ରୀ ମେଘୱାଲ ଏକ୍ସରେ ଉଲ୍ଲେଖ କରିଛନ୍ତି ।
ନୂଆ ସିଜେଆଇ ସଂଜୀବ ଖାନ୍ନା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅବସର ପରେ ଜଷ୍ଟିସ ଖାନ୍ନା ଦାୟିତ୍ବ ସମ୍ଭାଳିବେ । ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ଛଅ ମାସ ରହିବ । ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ୧୩ରେ ଶେଷ ହେବ ।
୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରି ଦିଲ୍ଲୀ ହଜାରି କମ୍ପ୍ଲେକ୍ସ ଜିଲ୍ଲା କୋର୍ଟରେ ଓକିଲ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ । ହାଇକୋର୍ଟରେ ଓକିଲାତି କରିବା ସହ ସହକାରୀ ସରକାରୀ ଓକିଲ ଭାବେ ଦାୟିତ୍ୱ ନେଇଥିଲେ । ଆମିକସ କ୍ୟୁରି ଭାବେ ବି ନିଯୁକ୍ତି ପାଇଥିଲେ । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ୨୦୧୯ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ପରେ ସେ ସବୁଠାରୁ ବରିଷ୍ଠ । ସେହି ଆଧାରରେ ତାଙ୍କୁ ସିଜେଆଇ କରାଯାଇଛି ।