କନକବ୍ୟୁରୋ : ସ୍ବାଧୀନତା ସଂଗ୍ରାମୀଙ୍କୁ ଦୁଇ ମାସ ଭିତରେ ପେନ୍ସନ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଶତାୟୁ ସଂଗ୍ରାମୀଙ୍କୁ ଶେଷରେ ହାଇକୋର୍ଟରୁ ନ୍ୟାୟ ମିଳିଛି । ଦୁଇ ମାସ ଭିତରେ ଆବେଦନକାରୀଙ୍କୁ ସ୍ବାଧୀନତା ସଂଗ୍ରାମୀ ପେନସନ (ଅଣବନ୍ଦୀ) ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଆବେଦନକାରୀଙ୍କୁ ଏପରି ପେନସନ୍ ବାବଦ ବକେୟା ପ୍ରାପ୍ୟ ମଧ୍ୟ ଏହି ଅବଧି ଭିତରେ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।
ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଦର୍ଶନ ବେହେରାଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ସ୍ବାଧୀନତା ସଂଗ୍ରାମୀ ପେନସନ ସଂପର୍କିତ ଆବେଦନକାରୀଙ୍କ ଦାବିକୁ ଅଗ୍ରାହ୍ୟ କରି ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି ।
ସୁଦର୍ଶନ ବେହେରା ୧୬ବର୍ଷ ବୟସରେ ୧୯୪୦ରୁ ସତ୍ୟାଗ୍ରହ , ଅସହଯୋଗ ଆନ୍ଦୋଳନ ଓ ଭାରତଛାଡ଼ ଆନ୍ଦୋଳନରେ ଭାଗ ନେଇ ବ୍ରିଟିଶ ସରକାରଙ୍କ ଦ୍ୱାରା ବନ୍ଦୀ ହୋଇଥିଲେ । କିନ୍ତୁ ଜେଲ ଯିବା ସମ୍ପର୍କିତ ପ୍ରମାଣପତ୍ର ସେ ହାସଲ କରିପାରିନଥିଲେ । ଭାରତ ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ପେନସନ ଯୋଜନା ଅନୁସାରେ ସେ ପେନସନ ପାଇଁ ୧୯୮୭ରେ ଆବେଦନ କରିଥିଲେ ମଧ୍ୟ ଏହାକୁ ବିଚାରକୁ ନିଆଯାଇ ନଥିଲା ।
ସେହିଭଳି ଓଡିଶା ସରକାର ଗତ ୨୦୦୨ ଅକ୍ଟୋବର ୯ ରେ ଅଣବନ୍ଦୀ ସଂଗ୍ରାମୀଙ୍କୁ ପେନସନ ପ୍ରଦାନ ପାଇଁ ଏକ ନିର୍ଦ୍ଦେଶାନାମା ଜାରି କରିଥିଲେ । ଯାହାର ଶେଷ ତାରିଖ ୨୦୦୪, ଡିସେମ୍ବର ୩୧ ରହିଥିଲା । ଆବେଦନକାରୀ ଏହା ପୂର୍ବରୁ ପେନସନ ପାଇଁ ମଧ୍ୟ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନ ଗ୍ରହଣ କରାଯାଇ ନଥିଲା । ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ପେନସନରୁ ବଞ୍ଚିତ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ଏହି ମାମଲା ହାଇକୋର୍ଟରେ ୨୦୧୭ରେ ରୁଜୁ ହୋଇଥିଲା ।