କନକ ବ୍ୟୁରୋ: ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ଛାତ୍ର ସଙ୍ଗଠନ । ସଡ଼କରୁ ସୋସିଆଲ ମିଡିଆ, ସବୁଠି ସମବେଦନା । ଆମେ ପୀଡ଼ିତାଙ୍କ ସହ ଅଛୁ ବୋଲି ନାରା ଦେଉଛନ୍ତି । ପ୍ରଶ୍ନ ଉଠୁଛି, ପୀଡ଼ିତା ଏକାକୀ ନ୍ୟାୟ ପାଇଁ ଲଢୁଥିବା ବେଳେ କାହିଁକି ଚୁପ୍ ଥିଲେ ଛାତ୍ର ସଙ୍ଗଠନ?
- ସୋସିଆଲ ମିଡିଆରେ ଏବେ ଉଛୁଳୁଛି ଦରଦ
- ନ୍ୟାୟ ଲଢ଼େଇରେ କାହିଁକି ଥିଲେ ସବୁ ନିରବ?
ଏଫ୍ଏମ୍ କଲେଜ ଛାତ୍ରୀ ଏବେ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଅନ୍ୟପଟେ ସୋସିଆଲ୍ ମିଡିଆରେ ପୀଡ଼ିତାଙ୍କ ପାଇଁ ଛୁଟୁଛି ସମବେଦନାର ସୁ୍ଅ । ସୋସିଆଲ୍ ମିଡିଆରୁ ସଡ଼କ । ସବୁଠି ଗୋଟିଏ ଦାବି, ପୀଡିତାଙ୍କୁ ନ୍ୟାୟ ମିଳୁ । ଏଥିପାଇଁ ଛାତ୍ର ସଙ୍ଗଠନ ଗୁଡିକ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । କୁଶ ପୁତ୍ତଳିକା ଦାହ, ହୋହଲ୍ଲା, ଦୋଷ ଲଦାଲଦି ଭିତରେ ସତରେ କଣ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼େଇ କରୁଛନ୍ତି ଛାତ୍ର ସଙ୍ଗଠନ?
ପୀଡ଼ିତା ଛାତ୍ରୀ ଯେତେବେଳେ ନ୍ୟାୟ ଚାହୁଥିଲେ, ସେତେବେଳେ ଛାତ୍ର କଂଗ୍ରେସର ନେତା ଏହାକୁ ମିଛ ପ୍ରମାଣିତ କରିବାକୁ ରାଜନୀତିର ରଙ୍ଗ ବୋଳୁଥିଲେ । ପୀଡିତାଙ୍କ ଚରିତ୍ର ସଂହାର କରିବାକୁ ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ପଛାଇ ନଥିଲେ ବୋଲି ଅଭିଯୋଗ ଆଣିଛି ଏବିଭିପି । ଅନ୍ୟପଟେ ଯୁବ କଂଗ୍ରେସ ପ୍ରଶ୍ନ କରିଛି, କଲେଜ ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କୁ ଉତ୍ତରୀୟ ଦେଇ କିଏ ସମ୍ମାନିତ କରୁଥିଲା? ନ୍ୟାୟ ପାଇଁ ପୀଡିତା ଯେତେବେଳେ ଚିତ୍କାର କରୁଥିଲେ । ସମସ୍ତଙ୍କ ପାଖରେ ନେହୁରା ହେଉଥିଲେ । ସେତେବେଳେ ଚୁପ୍ ଥିଲେ ଛାତ୍ର ସଙ୍ଗଠନ, ଚୁପ୍ ଥିଲା ପୂରା ବ୍ୟବସ୍ଥା । ହେଲେ ଆତ୍ମାହୁତି ଉଦ୍ୟମ କରି ପୀଡ଼ିତା ଏବେ ପୂରା ଚୁପ୍ । କିନ୍ତୁ ଚିତ୍କାର କରୁଛନ୍ତି ଛାତ୍ର ସଙ୍ଗଠନ । ଚଳଚଞ୍ଚଳ ହୋଇ ଉଠିଛି ପୂରା ବ୍ୟବସ୍ଥା ।
ଦୀର୍ଘ ଦିନ ଧରି ନ୍ୟାୟ ପାଇଁ ଲଢ଼େଇ କରୁଥିଲେ ପୀଡ଼ିତା । ସବୁଠୁ ନିରାଶ ହେବା ପରେ ଗତ ୧ ତାରିଖରେ ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ ନ୍ୟାୟ ମାଗିଥିଲେ । ନ୍ୟାୟରୁ ବଞ୍ଚିତ ହେଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ କିନ୍ତୁ ପୀଡିତାଙ୍କ ସ୍ବର କାହାକୁ ଶୁଭିନଥିଲା । ପ୍ରଶ୍ନ ଉଠୁଛି, ଏବେ ଶୁଭୁଥିବା ଚିତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ନା ରାଜନୈତିକ ସ୍ଥିତି ଜାହିର କରିବାକୁ ।