କନକ ବ୍ୟୁରୋ: ଓଡ଼ିଶାର ଜୀବନରେଖା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଟ୍ରିବ୍ୟୁନାଲ ପୁଣି କାର୍ଯ୍ୟକ୍ଷମ ହେବ । ପ୍ରାୟ ୮ ମାସ ପରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟସ ବେଲା ଏମ ତ୍ରିବେଦୀଙ୍କୁ ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି । ଗତ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ ଏମ ଖାନୱିଲକର ଇସ୍ତଫା ଦେବା ପରେ ଟ୍ରିବ୍ୟୁନାଲ ଠପ୍ ହୋଇପଡିଥିଲା ।
କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁସାରେ ଓଡ଼ିଶା-ଛତିଶଗଡ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଟ୍ରିବ୍ୟୁନାଲର ଅନ୍ୟ ଦୁଇ ସଦସ୍ୟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦରମିତ କୌର ପୂର୍ବବତ କାର୍ଯ୍ୟ କରିବେ । ଏହି ଦୁଇ ସଦସ୍ୟ ଟ୍ରିବ୍ୟୁନାଲ ଆରମ୍ଭରୁ ରହିଛନ୍ତି । ଶେଷ ଥର ପାଇଁ ଟ୍ରିବ୍ୟୁନାଲର ଶୁଣାଣି ୨୦୨୪ ଫେବୃଆରି ୨୨ ତାରିଖରେ ହୋଇଥିଲା । ଏହାପରେ ମାର୍ଚ୍ଚ ୧୧ ତାରିଖରେ ପ୍ରସ୍ତାବିତ ଶୁଣାଣି ହୋଇପାରିନଥିଲା ଓ ମାର୍ଚ୍ଚ ୨୭ ତାରିଖକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହି ଅବଧି ଭିତରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏଏମ ଖାନୱିଲକର ଇସ୍ତଫା ଦେଇସାରିଥିବାରୁ ଆଉ ଶୁଣାଣି ସମ୍ଭବପର ହୋଇପାରିନାହିଁ ।
ସେପଟେ ହୀରାକୁଦ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ହୀରାକୁଦର ଜଳସ୍ତର ପ୍ରସଙ୍ଗରେ ସିଧାସଳଖ ମୁଖମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି ମୁଖ୍ୟମନ୍ତ୍ରୀ ହେଲେ ରାଜ୍ୟ ଜଳ ସେଚନ ବିଭାଗର ମନ୍ତ୍ରୀ । ଓଡ଼ିଶା ସାରା ନଦୀ ଶୁଖିଲା ପଡିଛି । ହୀରାକୁଦରେ ଏବେ ୬୨୬ ଫୁଟ ପାଣି ଅଛି । ଗତ ବର୍ଷ ଏହି ସମୟରେ ୬୨୮ ଫୁଟ୍ ରହିଥିଲା । ହୀରାକୁଦରେ ପାଣି ଯେଉଁ ସ୍ତରରେ ଖସୁଛି ମାର୍ଚ୍ଚ ଏପ୍ରିଲ ବେଳକୁ ଭୟଙ୍କର ଜଳସଙ୍କଟ ହେବ । ରବି ଫସଲ ପାଇଁ ପାଣି ଯୋଗାଇବା କଷ୍ଟକର ହୋଇପଡିବ । ହେଲେ ଏନେଇ ରାଜ୍ୟ ସରକାର ଆଦୌ ଚିନ୍ତିତ ଥିଲା ଭଳି ଲାଗୁ ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର । ଜଳସେଚନ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଜଳ ସଂକଟ କିମ୍ୱା ମହାନଦୀ ଜଳ ବିବାଦ ସଂପର୍କରେ ଆଲୋଚନା କରିନାହାନ୍ତି । ଜଳ ସମସ୍ୟାକୁ ଆଖିରେ ରଖି ଶୀଘ୍ର ରାଜ୍ୟ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ବିଜୟ ମହାପାତ୍ର ।