କନକ ବ୍ୟୁରୋ: ଜିଦରେ ଅଟଳ ଡାକ୍ତର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ବି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି । ୫ ଘଣ୍ଟିଆ ବୈଠକପରେ ଜୁନିୟର ଡାକ୍ତରଙ୍କ ଘୋଷଣା । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୋଲକାତାର କନିଷ୍ଠ ଡାକ୍ତର ସେମାନଙ୍କ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ସେମାନଙ୍କ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏବଂ ସ୍ୱାସ୍ଥ୍ୟ ସଚିବ ନହଟିବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।  ସେମାନେ ମଧ୍ୟ ସରକାରଙ୍କ ସହ ପୁଣିଥରେ କଥାବାର୍ତ୍ତା କରିବାକୁ ଚାହିଛନ୍ତି । ଡାକ୍ତରମାନେ ଆଜି ୫ ଘଣ୍ଟିଆ ବୈଠକ କରିବାପରେ ଏହି ଘୋଷଣା କରିଛନ୍ତି ।  ଏକ ସାମ୍ବାଦିକ ସମ୍ମିଳନୀରେ କନିଷ୍ଠ ଡାକ୍ତରମାନେ କହିଛନ୍ତି, ଆମର ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।   ସରକାରଙ୍କ ସହ ଆମେ ସଦ୍ୟ କଥାବାର୍ତ୍ତା ଚାହୁଁ ।  ଗତ ସୋମବାର ଆନ୍ଦୋଳନରତ ଡାକ୍ତର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ ।  ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାର ସେମାନଙ୍କର ଅଧିକାଂଶ ଦାବି ଗ୍ରହଣ କରି ନେଇଛନ୍ତି ।  କିନ୍ତୁ ଆନ୍ଦୋଳନରତ ଡାକ୍ତର ସ୍ୱାସ୍ଥ୍ୟ ସଚିବ ଏନଏସି ନିଗମଙ୍କୁ ହଟାଇବାକୁ ଦାବି କରିଥିଲେ ସୁଦ୍ଧା ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ । ଗତକାଲି ଡାକ୍ତରମାନେ ସରକାରଙ୍କ ପାଖରେ ବିଭିନ୍ନ ନୂ୍ଆ ଦାବି ରଖିଥିଲେ ମଧ୍ୟ ସରକାର ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି ।