କନକ ବ୍ୟୁରୋ : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଅସଦାଚରଣ ଘଟଣା । ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ କରାଯିବ ତଦନ୍ତ, ୬୦ ଦିନ ମଧ୍ୟରେ ଆସିବ ରିପୋର୍ଟ । କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଲୋକସେବା ଭବନରେ ଘଟଣାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡକାଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଆଇନର ଶାସନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଛନ୍ତି । ଏହାସହିତ ଭାରତୀୟ ସେନା ପ୍ରତି ମଧ୍ୟ ରାଜ୍ୟ ସରକାରଙ୍କ ସମ୍ମାନ ରହିଛି । ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣଭାବେ ଯତ୍ନବାନ ଅଛନ୍ତି । ଏହି ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀମାନଙ୍କୁ ନିଲମ୍ବିତ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ କେସ୍ ମଧ୍ୟ କରାଯାଇଛି ।
ଘଟଣାରେ ସଂପୃକ୍ତ ଯୁବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଆଇନ ଅନୁଯାୟୀ ଦେଷୀସାବ୍ୟସ୍ତ ସମସ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଥିବା କୁହାଯାଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଅତିଥି ଭବନଠାରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ମନ୍ତ୍ରୀମାନେ ସେନା ଅଧିକାରୀ ଓ ତାଙ୍କର ମହିଳା ବନ୍ଧୁଙ୍କ ସହ ଆଲୋଚନା କରିଛନ୍ତି । ମହିଳାଙ୍କ ପିତା ଓ ଅନ୍ୟ ବରିଷ୍ଠ ସେବା ନିବୃତ ସେନା ଅଧିକାରୀ ମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ବୈଠକରେ ଘଟଣାର ସମସ୍ତ ଦିଗ ଉପରେ ଆଲୋଚନା କରାଯାଇଥିଲା । ଘଟଣାରେ ସଂପୃକ୍ତ ସବୁ ପୋଲିସ ଅଧିକାରୀ ତଥା ଅନ୍ୟ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।