କନକ ବ୍ୟୁରୋ;  ମଧ୍ୟପ୍ରଦେଶର ରତଲାମରେ ଚଳନ୍ତା ଟ୍ରେନ୍‌ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କାଞ୍ଚିଗୁଡ଼ା-ଭଗତ କୋଠି ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଜଣେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ଜଜ୍‌ ରାଜକୁମାର ଚୌହାନଙ୍କ ପତ୍ନୀ ଉଷା ଚୌହାନ ‌ଟ୍ରେନର ଶୌଚାଳୟ ଯାଇ ଆଉ ଫେରିନଥିଲେ । ପରେ ତାଙ୍କୁ ଟ୍ରେନ୍‌ର ଶୌଚାଳୟରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରେଲୱେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଏହି ଘଟଣାର ତଦନ୍ତ କରୁଛନ୍ତି । ସୂଚନାଯୋଗ୍ୟ, ରାଜସ୍ଥାନର ନିମ୍ବହେଡ଼ାରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ବିଚାରପତି ଥିବା ରାଜକୁମାର ନିଜ ପତ୍ନୀଙ୍କୁ ସହିତ ଯୋଧପୁରରୁ ନିମ୍ବହେଡ଼ା ଫେରୁଥିଲେ। ଦୁଇ ଜଣଯାକ ଗୋଟିଏ ଟ୍ରେନ୍‌ରେ ଥିଲେ ମଧ୍ୟ ସଂରକ୍ଷଣ ଅଲଗା ଅଲଗା କୋଚରେ ଥିଲା। ତେଣୁ ସେମାନେ ଅଲଗା ଅଲଗା ଯାତ୍ରା କରୁଥିଲେ। ରାସ୍ତାରେ ଦୁଇ ଜଣ ଯାକ ମୋବାଇଲ ଫୋନରେ ପରସ୍ପର ସହିତ କଥାବାର୍ତ୍ତା ହେଉଥିଲେ। କିନ୍ତୁ ନିମ୍ବହେଡ଼ା ଷ୍ଟେସନ ଆସିବା ପୂର୍ବରୁ ଉଷା ସ୍ବାମୀଙ୍କୁ ସେ ଶୌଚାଳୟ ଯାଉଥିବା କହିଥିଲେ । ଏହା ଉଷାଙ୍କ ଶେଷ ଫୋନକଲ୍‌ ହେବ ବୋଲି କେହି ଜାଣିନଥିଲେ ।

Advertisment

ଅଧିକ ପଢନ୍ତୁ:  ରକ୍ତର ହୋଲି! ପର୍ଜଙ୍ଗରେ ବଚସାକୁ କେନ୍ଦ୍ର କରି ଜଣଙ୍କୁ ନିର୍ମମ ହତ୍ୟା, ସ୍ତ୍ରୀ ଓ ପୁଅକୁ ମଧ୍ୟ ଆକ୍ରମଣ

ନିମ୍ବହେଡ଼ା ଷ୍ଟେସନଠାରେ ରାଜକୁମାର ଟ୍ରେନରୁ ଓହ୍ଲାଇ ପତ୍ନୀଙ୍କୁ ଅପେକ୍ଷା କରିଥିଲେ। କିନ୍ତୁ ଉଷା ଆସି ନଥିଲେ । ବହୁ ସମୟ ଅପେକ୍ଷା ପରେ ମଧ୍ୟ ଉଷାଙ୍କ ସମ୍ପର୍କରେ କିଛି ଜଣା ନପଡ଼ିବାରୁ ଭୟଭୀତ ହୋଇ ରାଜକୁମାର ଚୌହାନ ରେଲୱେ ପୁଲିସକୁ ସୂଚନା ଦେଇଥିଲେ। ରେଲୱେ ପୁଲିସ ଆଗାମୀ ‌ଷ୍ଟେସନକୁ ଏସମ୍ପର୍କରେ ସୂଚନା ଦେଇ ଟ୍ରେନ୍‌କୁ ଅଟକାଇଥିଲା । ଟ୍ରେନ୍‌ରେ ବହୁ ଖୋଜାଖୋଜି ପରେ ଉଷାଙ୍କ ସମ୍ପର୍କରେ କିଛି ଜଣାପଡ଼ିନଥିଲା। ଶେଷରେ ତାଙ୍କ ମୋବାଇଲ ଫୋନ ଲୋକେଶନ ଟ୍ରେସ୍‌ କରାଯାଇଥିଲା । ଟ୍ରେନ୍‌ ସେତେବେଳେ ଜାବରା ଷ୍ଟେସନ ପହଞ୍ଚି ସାରିଥିଲା । ଶୌଚାଳୟର କବାଟ ଭାଙ୍ଗି ଉଷାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଉଷା ବେହୋସ୍‌ ଥିଲେ। ଉଦ୍ଧାର କରାଯିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ଭାବେ ଏହା ସାଇଲେଣ୍ଟ ହାର୍ଟ ଆଟାକ୍‌ ବୋଲି ଅନୁମାନ କରାଯାଉଛି। ଟ୍ରେନ୍‌ ଯାତ୍ରା ସାଧାରଣତଃ ସୁରକ୍ଷିତ ବୋଲି ଗ୍ରହଣ କରାଯାଏ । କିନ୍ତୁ ଏପରି କିଛି ଘଟଣା ଭୟ ସଞ୍ଚାର କରିଥାଏ ।